ବଜେଟ୍‌ ଅଧିବେଶନ: ମୋଦୀ ସରକାରକୁ ଘେରିଲେ ରାହୁଲ, ଭାରତୀୟ ଅର୍ଥ ବ୍ୟବସ୍ଥାକୁ ‘ଡବଲ୍‌-ଏ’ କବଳିତ କରିଛି

ରାଜ୍ୟମାନଙ୍କ ସ୍ବର ଦବାଇବା ପାଇଁ ନ୍ୟାୟପାଳିକା, ଇସି ମାଧ୍ୟମ ପାଲଟିଛି

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଆଜି ତୃତୀୟ ଦିବସରେ ଦରଦାମ ବୃଦ୍ଧି, ବେକାରୀ ଓ ରାଜ୍ୟମାନଙ୍କର କ୍ଷମତା ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାରକୁ ଘେରିଛନ୍ତି। ଉଭୟ ସଦନରେ ଆଜି ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ତାଙ୍କ ଭାଷଣରେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନରେ ଦେଶ ସମ୍ମୁଖୀନ ହେଉଥିବା କୌଣସି ସଙ୍କଟ ନେଇ କିଛି ଉଲ୍ଲେଖ କରାଯାଇନାହିଁ। ରାଷ୍ଟ୍ରପତିଙ୍କ ଭାଷଣ କେବଳ ସରକାରଙ୍କ ଦାବି ସମ୍ବଳିତ ଲମ୍ବା ତାଲିକା ଥିଲା ବୋଲି ସେ କହିଥିଲେ। ରାଷ୍ଟ୍ରପତିଙ୍କ ଭାଷଣ ଏକ ରଣନୀତିକ ଦୃଷ୍ଟିକୋଣ ପରିବର୍ତ୍ତେ ଅମଲାତାନ୍ତ୍ରିକ ନିଷ୍ପତ୍ତିର ତାଲିକା ଥିଲା ବୋଲି ରାହୁଲ ମତ ଦେଇଥିଲେ । କେନ୍ଦ୍ର ସରକାର ରାଜ୍ୟମାନଙ୍କ ସ୍ବରକୁ ଦବାଉଛନ୍ତି ଏବଂ ଏଥିପାଇଁ ନ୍ୟାୟପାଳିକା, ନିର୍ବାଚନ କମିସନ(ଇସି) ଏବଂ ପେଗାସସ୍‌ ସଫ୍ଟୱେର ମାଧ୍ୟମ ପାଲଟିଛି ବୋଲି ରାହୁଲ କହିଥିଲେ।

ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଡବଲ୍‌-ଏ (ଅମ୍ବାନି-ଅଦାନି) ଭାଇରସ୍‌ ଦ୍ବାରା କବଳିତ ଏବଂ ଏହି ଦୁଇ ଏକଛତ୍ରବାଦୀ ଉଦ୍ୟୋଗପତି ସବୁକିଛି ନିୟନ୍ତ୍ରଣ କରୁଛନ୍ତି ବୋଲି ରାହୁଲ କହିଥିଲେ। ରାଷ୍ଟ୍ରପତିଙ୍କ ଭାଷଣରେ ନେତୃତ୍ବର ଦୃଷ୍ଟିକୋଣ ନଥିଲା, କେବଳ ଏକ ଦଳର ଚିନ୍ତାଧାରା ପ୍ରତିଫଳିତ ହୋଇଥିଲା ବୋଲି ରାହୁଲ କହିଥିଲେ। ଭାରତ ଏବେ ଅତି ଉତ୍କଟ ବେକାରୀ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ ବିଗତ ୫୦ ବର୍ଷରେ ଏହା ସର୍ବାଧିକ ବୋଲି ସେ କହିଥିଲେ। ସୀମାରେ ଚୀନ୍‌ର ନୀତି ସ୍ପଷ୍ଟ ଥିବା ବେଳେ ଭାରତର ଭୁଲ୍‌ ନୀତି ଯୋଗୁଁ ଚୀନ୍‌-ପାକିସ୍ତାନ ଏବେ ଏକାଠି ହୋଇଛନ୍ତି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ରାହୁଲ କହିଥିଲେ ଯେ କଂଗ୍ରେସ ୧୯୪୭ରୁ ରାଜତନ୍ତ୍ରର ଅବସାନ ଘଟାଇଥିବା ବେଳେ ଏବେ ଏହି ବ୍ୟବସ୍ଥା ପୁଣି ଫେରିଛି ଏବଂ ଜଣେ ‘ଶାହେନ୍‌ଶାହ’ ଅଛନ୍ତି।

ରାହୁଲ ନ୍ୟାୟପାଳିକା ଏବଂ ନିର୍ବାଚନ କମିସନଙ୍କୁ ନେଇ ଦେଇଥିବା ବୟାନକୁ ଶାସକ ଦଳ ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ରାହୁଲ ଗାନ୍ଧି ସର୍ବଦା ଦ୍ବନ୍ଦ୍ବରେ ରହୁଥିବା ଜଣେ ନି‌ର୍ବୋଧ ନେତା ଏବଂ ସେ ପୁଣିଥରେ ତାଙ୍କ ଅଜ୍ଞାନତାର ପରିଚୟ ଦେଇଛନ୍ତି। ଆଇନ ମନ୍ତ୍ରୀ କିରେନ ରିଜ୍ଜୁ କହିଛନ୍ତି ଯେ ରାହୁଲ ଗାନ୍ଧି ନ୍ୟାୟପାଳିକା ଏବଂ ନିର୍ବାଚନ କମିସନଙ୍କୁ ବଦନାମ କରି ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗିବା ଜରୁରୀ।
ସୂଚନାଯୋଗ୍ୟ, ପେଗାସସ୍ ଗୁପ୍ତଚର ସଫଟୱେର ମାମଲା, ପୂର୍ବ ଲଦାଖରେ ଚୀନ୍‌ର ‘ଅନୁପ୍ରବେଶ’ ଭଳି ପ୍ରସଙ୍ଗରେ ବିରୋଧୀ ଦଳମାନେ ଆଗକୁ ସରକାରକୁ ଘେରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ଆଜି ଲୋକସଭାରେ ରାହୁଲଙ୍କ ଭାଷଣରେ ଏହା ପ୍ରତିଫଳିତ ହୋଇଛି। ଆଜି ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ଦେଶରେ ଲଗାମଛଡ଼ା ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା ନେଇ ସରକାରକୁ କଡ଼ା ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ କହିଥିଲେ ଯେ ପ୍ରତିବର୍ଷ ୨ କୋଟି ନିଯୁକ୍ତି ଦିଆଯିବାକୁ ପ୍ରତିଶ୍ରୁତି ଦେଇଥିବା ସରକାର ଆଜି ପର୍ଯ୍ୟନ୍ତ କେତେ ନିଯୁକ୍ତି ଦେଇଛନ୍ତି ତାହା ସ୍ପଷ୍ଟ କରିବାକୁ ହେବ।

ସମ୍ବନ୍ଧିତ ଖବର