ଭୁବନେଶ୍ବର: ମହିଳା ସଶକ୍ତିକରଣ ସମ୍ପର୍କିତ ଏକ ବଜେଟ ପର ୱେବିନାରରେ ପ୍ରଧାନମନ୍ତ୍ରୀ ଆଜି ସମ୍ବୋଧନ କରିଛନ୍ତି । କେନ୍ଦ୍ରୀୟ ବଜେଟ ୨୦୨୩ରେ ଘୋଷିତ ବିଭିନ୍ନ ପଦକ୍ଷେପ ତଥା ଏହା ତ୍ୱରାନ୍ୱିତ କରିବା ନିମନ୍ତେ ଜନସାଧାରଣଙ୍କ ମତାମତ ଓ ପ୍ରସ୍ତାବ ଦେବା ପରିପ୍ରେକ୍ଷୀରେ ସରକାର ଆୟୋଜନ କରିଥିବା ୧୨ଟି ୱେବିନାର ମଧ୍ୟରୁ ଏହା ଏକାଦଶତମ ୱେବିନାର। ୨୦୪୭ ବିକଶିତ ଭାରତର ଲକ୍ଷ୍ୟ ହାସଲ ନିମନ୍ତେ ଦେଶ ଚଳିତ ବର୍ଷର ବଜେଟକୁ ଦେଶ ଏକ ଶୁଭ ଅବସର ବିବେଚନା କରୁଥିବାରୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ କହିଲେ, ଭବିଷ୍ୟତର ଅମୃତ କାଳ ଦୃଷ୍ଟିରୁ ଏହି ବଜେଟକୁ ଦେଖାଯିବା ସହ ପରୀକ୍ଷା କରାଯାଇଛି। ଏହା ଏକ ଶୁଭ ସଙ୍କେତ ଯେ ଦେଶର ନାଗରିକଗଣ ଏହିସବୁ ଲକ୍ଷ୍ୟ ସହ ସଂଯୋଗ କରି ନିଜର ଆଗାମୀ ୨୫ ବର୍ଷ ଉପରେ ନଜର ରଖୁଛନ୍ତି।
ଗତ ନଅ ବର୍ଷ ମଧ୍ୟରେ ଦେଶ ମହିଳା ନେତୃତ୍ୱରେ ବିକାଶ ଦିଗରେ ଆଗେଇ ଚାଲିଛି। ଭାରତ ଜି-୨୦ ବୈଠକରେ ଅଧ୍ୟକ୍ଷତା କରୁଥିବା ବେଳେ, ଦେଶ ଏହି ଉଦ୍ୟମକୁ ବୈଶ୍ୱିକ ସ୍ତର ପର୍ଯ୍ୟନ୍ତ ନେଇଛି। ମହିଳା ନେତୃତ୍ୱାଧୀନ ବିକାଶକୁ ଏହି ବଜେଟ ନୂତନ ଗତି ପ୍ରଦାନ କରିବ। ନାରୀ ଶକ୍ତିର ସଂକଳ୍ପ, ଇଚ୍ଛା ଶକ୍ତି, କଳ୍ପନା ଓ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ ସାମର୍ଥ୍ୟ ଓ ଅତ୍ୟନ୍ତ କଠିନ ପରିସ୍ଥିତିରେ କାର୍ଯ୍ୟ ହେଉଛି ମାତୃଶକ୍ତିର ପ୍ରତିଫଳନ । ଏହି ଶତାବ୍ଦୀରେ ଏସବୁ ଗୁଣ ଦେଶର ମାନ ଓ ଗତି ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି ମହିଳା ସଶକ୍ତିକରଣ ଉଦ୍ୟମ ଜଳଜଳ ଦିଶୁଥିବା ବେଳେ, ଆମେ ଦେଶର ସାମାଜିକ ଜୀବନର ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରୁଛୁ । ପୁରୁଷଙ୍କ ତୁଳନାରେ ମହିଳା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ହାଇସ୍କୁଲ ଓ ତା’ ଠାରୁ ଅଧିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ବାଳିକାମାନଙ୍କ ସଂଖ୍ୟା ଗତ ନଅରୁ ଦଶ ବର୍ଷ ମଧ୍ୟରେ ତିନିଗୁଣ ବୃଦ୍ଧି ପାଇଛି। ବିଜ୍ଞାନ, ପ୍ରଯୁକ୍ତି, ଯାନ୍ତ୍ରିକ ବିଦ୍ୟା ଓ ଗଣିତ କ୍ଷେତ୍ରରେ ମଧ୍ୟ ବର୍ତ୍ତମାନ ବାଳିକାଙ୍କ ଉପସ୍ଥାନ ଶତକଡ଼ା ୪୩ ଭାଗ ଯାହାକି ଆମେରିକା, ଯୁକ୍ତରାଜ୍ୟ ଓ ଜର୍ମାନୀ ଦେଶ ତୁଳନାରେ ମଧ୍ୟ ଅଧିକ । ମେଡିକାଲ, କ୍ରୀଡ଼ା, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ସେମାନଙ୍କ ଭାଗୀଦାରିତା କେବଳ ବୃଦ୍ଧି ପାଉନାହିଁ, ବରଂ ସେମାନେ ଆଗରେ ରହି ନେତୃତ୍ୱ ନେଉଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ମୁଦ୍ରା ଋଣ ଗ୍ରହୀତାଙ୍କ ମଧ୍ୟରୁ ଶତକଡ଼ା ୭୦ ଭାଗ ହିତାଧିକାରୀ ହେଉଛନ୍ତି ମହିଳା । ସେହିପରି ମହିଳାମାନେ ମଧ୍ୟ ସ୍ୱନିଧି ଯୋଜନା, ପଶୁପାଳନ, ମତ୍ସ୍ୟଚାଷ, ଗ୍ରାମଦ୍ୟୋଗ, ଏଫପିଓ ଓ କ୍ରୀଡ଼ା ଯୋଜନା ଦ୍ୱାରା ମଧ୍ୟ ଉପକୃତ ହେଉଛନ୍ତି। ଦେଶର ଅଧାଧିକ ଜନସଂଖ୍ୟାଙ୍କ ସାହାଯ୍ୟରେ ଆମେ କିପରି ଆଗକୁ ନେବା ଓ ନାରୀ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରିବା ନେଇ ସମସ୍ତ ପଦକ୍ଷେପ ଏହି ବଜେଟରେ ପ୍ରତିଫଳିତ ହୋଇଛି।ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନାରେ ଜଣେ ମହିଳା ଶତକଡ଼ା ୭.୫ ଭାଗ ସୁଧ ପାଇବା ବିଷୟରେ ଉଲ୍ଲେଖ କରିଥିଲେ। ପିଏମ୍ ଆବାସ ଯୋଜନାରେ ୮୦ ହଜାର କୋଟି ବ୍ୟୟ ଅଟକଳ ଓ ତିନି କୋଟି ଘରରୁ ଅଧିକ ଗୃହ ମହିଳାଙ୍କ ନାମରେ ହେଉଥିବାରୁ ଏହା ମହିଳା ସଶକ୍ତିକରଣର ଏକ ପ୍ରମାଣ ବୋଲି ଶ୍ରୀ ମୋଦୀ କହିଥିଲେ। ପାରମ୍ପରିକ ଭାବେ ମହିଳାଙ୍କ ନାମରେ କୌଣସି ସମ୍ପତ୍ତି ନ ଥିବା ବେଳେ ପିଏମ ଆବାସରେ ମହିଳାଙ୍କୁ ସଶକ୍ତ କରିବାର ଏକ ପ୍ରମୁଖ ଦିଗ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ। ପିଏମ୍ ଆବାସ ମହିଳାମାନଙ୍କୁ ପରିବାରର ଆର୍ଥିକ ନିଷ୍ପତ୍ତି କ୍ଷେତ୍ରରେ ଏକ ନୂତନ ସ୍ୱର ଉତ୍ତୋଳନ ପାଇଁ କ୍ଷମତା ପ୍ରଦାନ କରିଛି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ।