ଲକ୍ଷ୍ନୌ: ୨୮ ବର୍ଷ ତଳେ ଗୋଟାଏ ମଇଁ‌ଷି ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ଜଣେ ୮୩ ବର୍ଷିୟ ବୃଦ୍ଧ ଅଦାଲତରୁ ସମନ୍‌ ପାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

Advertisment

୨ ଦଶନ୍ଧି ପୂର୍ବେ ଡ୍ରାଇଭର୍‌ ଚାକିରିରୁ ଅବସର ଗ୍ରହଣ କରିଥିବା ଅଚ୍ଛନ୍‌ ନାମରେ ସେ ବୃଦ୍ଧ ଏବେ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ଗତ ସୋମବାର ଦିନ ତାଙ୍କ ବାରାବାଙ୍କିସ୍ଥିତ ତାଙ୍କ ଘରେ ଆସି ପହଞ୍ଚିଲେ ବରେଲି ପୁଲିସର ଏକ ଟିମ୍‌। ସେମାନେ ତାଙ୍କୁ ଦେଇଗଲେ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଜାରି କରିଥିବା ସମନ୍‌। ଛାନିଆରେ ବୃଦ୍ଧ ଅଚ୍ଛନ୍ ପୁଲିସ କର୍ମଚାରୀଙ୍କ ଆଗରେ କାନ୍ଦି ପକାଇଲେ।

ଏଥିରେ କ‌ୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ପାରି ପୁଲିସ କର୍ମଚାରୀମାନେ କେବଳ କହିଲେ ଯେ, ଯାଇ ଅଦାଲତରେ ହାଜିରା ପକାନ୍ତୁ ନଚେତ ଆଇନ ଅନୁଯାୟୀ ଆପଣଙ୍କୁ ଗିରଫ କରିବୁ।

83-year-old Paralysed UP Man Gets Arrest Warrant In 28-year-old Buffalo Death Case - News18 Image Courtesy of News18

୧୯୯୪ ମସିହାରେ ଘଟିଥିବା ସେ ଦୁର୍ଘଟଣା କଥା ମନେ ପକାଇ ଅଚ୍ଛନ୍‌ କହନ୍ତି, ମୁଁ ଉତ୍ତର ପ୍ରଦେଶର ପରିବହନ ବିଭାଗରେ ଡ୍ରାଇଭର୍‌ ଚାକିରି କରୁଥିଲି। ମାଲ୍‌ ବୋଝେଇ ଗାଡ଼ି ଆଣିବା ପାଇଁ ବରେଲି ଯାଇଥିଲି। ସେଠାରୁ ପୁଣି ଫରିଦପୁର ଗଲି। ରାତିରେ ଗାଡ଼ି ଚଳାଇ ଯାଉଥିବା ବେଳେ ହଠାତ୍‌ ମଇଁଷି ଟଣା ଶଗଡ଼ଟାଏ ଆଗକୁ ଚାଲି ଆସିଲା। ମୁଁ ଚଳାଉଥିବା ଗାଡ଼ିର ବ୍ରେକ୍‌ କାମ ନ କରିବାରୁ ଧକ୍କା ହେଲା। ମଇଁଷି ମରିଗଲା। ମୁଁ ତୁରନ୍ତ ଫରିଦପୁର ଥାନାକୁ ଯାଇ ପୁଲିସକୁ ସୂଚନା ଦେ‌ଲି।

ଏ ବାବଦରେ ମୁଁ ପୂର୍ବରୁ ୨ ଥର ସମନ୍‌ ପାଇଥିଲି। କିନ୍ତୁ, ପ୍ରତିଥର ମତେ ଜାମିନ ମିଳିଥିଲା। ତା’ପରେ ପ୍ରାୟ ୨ ଦଶନ୍ଧି ହେବ ଏହି ମାମଲାର ଖୋଜଖବର ନ ଥିଲା। ଆଜି ପୁଣି ଥରେ ସମନ୍‌ ଜାରି ହୋଇଛି ବୋଲି ସେ କହିଛନ୍ତି।