ଆପଣଙ୍କ ମୋବାଇଲରେ ଟ୍ରୁ କଲର ଆପ୍‌ ଅଛି କି? ଯଦି ଅଛି ତେବେ ସାବଧାନ! ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହୋଇଯାଇ ପାରେ ଖାଲି

ନୂଆଦିଲ୍ଲୀ: ଆପଣ ଆପଣଙ୍କ ମୋବାଇଲରେ ଟ୍ରୁ କଲର ଆପ୍‌ର ବ୍ୟବହାର କରୁଛନ୍ତି କି? ଯଦି କରୁଥାଆନ୍ତି ତେବେ ତୁରନ୍ତ ଏହାକୁ ଆପଣଙ୍କ ଫୋନ୍‌ରୁ ଅନ୍‌ ଇନ୍‌ଷ୍ଟଲ କରି ଦିଅନ୍ତୁ। ନଚେତ୍‌ ଆପଣଙ୍କ ଅଜାଣତରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯିବ।

ଆଜି (ସୋମବାର) ଟ୍ରୁ କଲର ବ୍ୟବହାରକାରୀମାନଙ୍କ ନିକଟକୁ ଆସିଥିବା ଏକ ଆପ୍‌ ଅପଟୁଡେଟ୍‌କୁ ଯେଉଁମାନେ କାର୍ଯ୍ୟକାରୀ କରିଛନ୍ତି ସେମାନଙ୍କ ଫୋନ୍‌ରୁ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଡାଟାକୁ ହ୍ୟାକ୍‌ କରାଯାଇ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ହଡ଼ପ୍‌ କରାଯାଇ ଥିବାର ଏକାଧିକ ଅଭିଯୋଗ ସାମନାକୁ ଆସିଛି। ବିଶେଷ କରି ଆଇସିଆଇସିଆଇ ବ୍ୟାଙ୍କ୍‌ ଆକାଉଣ୍ଟଧାରୀମାନେ ଅଧିକ ମାତ୍ରାରେ ଏହିପରି ହ୍ୟାକରମାନଙ୍କର ଶିକାର ହୋଇଛନ୍ତି।

ଟ୍ରୁ କଲର ଆପ୍‌ ପ୍ରସ୍ତୁତକାରୀ କମ୍ପାନି ପକ୍ଷରୁ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରାଯିବା ସହ ଯେଉଁ ବ୍ୟବହାରକାରୀମାନେ ଟ୍ରୁ କଲର ଆପ୍‌ର ୧୦.୪୧.୬ ଅପ୍‌ଡେଟ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି କହିଛି। ଏଥିସହ ଭାରତରେ ଟ୍ରୁ କଲର ପେମେଣ୍ଟ ସର୍ଭିସ୍‌ ଆଇସିଆଇସିଆଇ ବ୍ୟାଙ୍କର ସହଭାଗିତାରେ ଚାଲିଥିବାରୁ ହ୍ୟାକରମାନେ ଏହି ବ୍ୟାଙ୍କର ଗ୍ରାହକମାନଙ୍କୁ ଅଧିକ ମାତ୍ରାରେ ଟାର୍ଗେଟ କରିଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ମୋବାଇଲ୍‌କୁ ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ଚିହ୍ନଟ କରିବା ପାଇଁ ମୋବାଇଲ ବ୍ୟବହାରକାରୀମାନେ ଟ୍ରୁ କଲର ଆପ୍‌ର ବ୍ୟବହାର କରିଥାଆନ୍ତି। ଭାରତରେ ପ୍ରାୟ ୧୦ କୋଟିରୁ ଅଧିକ ଟ୍ରୁ କଲର ଆପ୍‌ ବ୍ୟବହାରକାରୀ ଅଛନ୍ତି।

ସମ୍ବନ୍ଧିତ ଖବର