ପାକିସ୍ତାନରୁ ହୋଇଥିଲା ଯୋଜନା, ସୁଜାତ୍‌ ବୁଖାରୀଙ୍କ ହତ୍ୟା ପଛରେ ଲସ୍କର

ଶ୍ରୀନଗର: ବରିଷ୍ଠ ସାମ୍ବାଦିକ ତଥା ରାଇଜିଂ କଶ୍ମୀରର ପୂର୍ବତନ ମୁଖ୍ୟ ସମ୍ପାଦକ ସୁଜାତ୍‌ ବୁଖାରୀଙ୍କ ହତ୍ୟା ମାମଲାରେ ପୁଲିସ୍‌ ଗୋଟିଏ ପରେ ଗୋଟିଏ ଘଟଣା ଉପରୁ ପରଦା ହଟାଇ ଚାଲିଛି। ଗତକାଲି ବୁଖାରୀଙ୍କ ସମସ୍ତ ହତ୍ୟାକାରୀଙ୍କୁ ପୁଲିସ୍‌ ଚିହ୍ନଟ କରିଥିବା ବେଳେ ଆଜି ଏହି ଘଟଣାରେ ଲସ୍କର ଆତଙ୍କବାଦୀ ସଂଗଠନର ହାତ ଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ସ୍ପଷ୍ଟ କରିଛି। ତେବେ ଲସ୍କରର ମୁଖ୍ୟ ହାଫିଜ ସଇଦ୍‌ ନିର୍ଦ୍ଦେଶରେ ଏହି ହତ୍ୟାକାଣ୍ଡ କରାଯାଇଥିବା ଜଣାପଡ଼ିଛି। ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ଆଇଜି ଏସ୍‌ ପି ପାଣି ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ନିର୍ଦ୍ଦେଶରେ ଏହି ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ସେ କହିବା ସହ ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ଥିବା ସେ କହିଛନ୍ତି। ଏହି ଆକ୍ରମଣକାରୀଙ୍କ ମଧ୍ୟରେ ଦୁଇ ଜଣ ସ୍ଥାନୀୟ ଓ ଜଣେ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି। ସେମାନେ ହେଲେ ଏବେ ପାକିସ୍ତାନରେ ରହୁଥିବା କଶ୍ମୀରୀ ଯୁବକ ସାଜଦ୍‌ ଗୁଲ୍‌ ,ଆଜାଦ୍‌ ଅହମ୍ମଦ ମଲ୍ଲିକ୍‌, ଅନନ୍ତନାଗ ଜିଲ୍ଲା ଏଲଇଟି ମୁଖ୍ୟ ମୁଜାଫର ଅହମ୍ମଦ ଭଟ୍ଟ ଓ ନାଭିଦ୍‌ ଜଟ୍ଟ। ସଜାଦ୍‌ ଗୁଲ କଶ୍ମୀର ଯୁବକ ହୋଇଥିବା ବେଳେ ବେଙ୍ଗାଲୁରୁର ଏକ ଘରୋଇ କଲେଜରୁ ସେ ଏମ୍‌ବିଏ ଡିଗ୍ରି ମଧ୍ୟ ହାସଲ କରିଛି। କିନ୍ତୁ ଗତ ବର୍ଷ ସେ ପାକିସ୍ତାନ ଚାଲିଯାଇ ଏବେ ରାଓ୍ଵଲପିଣ୍ଡିରେ ରହୁଥିବା ଜଣାପଡ଼ିଛି। ସଜାଦ୍‌ ପାକିସ୍ତାନରେ ରହି ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଯୁବକଙ୍କୁ ସାମିଲ କରିବା କାର୍ଯ୍ୟ କରୁଛି। ଭାରତରେ ମଧ୍ୟ ତା’ ନାମରେ ଅନେକ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଗତବର୍ଷ ତା’ ନାମରେ ଲୁକ୍‌ ଆଉଟ ନୋଟିସ୍‌ ଜାରି କରାଯାଇଛି। ସୁଜାତ୍‌ ହତ୍ୟାକାଣ୍ଡର ବ୍ଲୁ-ପ୍ରିଣ୍ଟ୍‌ ପାକିସ୍ତାନରେ ଲସ୍କର ପ୍ରସ୍ତୁତ କରିଥିଲା।

ସମ୍ବନ୍ଧିତ ଖବର