ବୁଲନ୍ଦସର୍‌ ହିଂସା ଯବାନ ଜିତୁ ଗିରଫ

ଲକ୍ଷ୍ନୌ : ବୁଲନ୍ଦସର ହିଂସାକାଣ୍ଡରେ ୟୁପି ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହିଂସା ରୋକିବାରେ ଉପସ୍ଥିତ ପୁଲିସ ଦଳ ବିଫଳ ହୋଇଥିବାରୁ ଗତକାଲି ୟୁପି ସରକାର ବୁଲନ୍ଦସର ଜିଲ୍ଲା ମୁଖ୍ୟ ସମେତ ୩ ଅଧିକାରୀଙ୍କୁ ବଦଳି କରିଥିବାବେଳେ ଆଜି ପୁନର୍ବାର ବୁଲନ୍ଦସର ଅତିରିକ୍ତ ଏସ୍‌ପି ବଦଳି ହୋଇଛନ୍ତି। ବୁଲନ୍ଦସର୍‌ ଏଏସ୍‌ପି ରାଇସ୍‌ ଅଖତାର୍‌ଙ୍କୁ ବଦଳି କରାଯାଇଛି। ବୁଲନ୍ଦସରର ନୂଆ ଏଏସ୍‌ପି ହୋଇଛନ୍ତି ମନିଶ ମିଶ୍ର। ରାଇସ୍‌ ଅଖତାର ପିଏସି ମୁଖ୍ୟାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ଅନ୍ୟପକ୍ଷେ ଯବାନ ଜିତୁଙ୍କୁ ଗତକାଲି ସେନାବାହିନୀ ୟୁପି ପୁଲିସକୁ ହସ୍ତାନ୍ତର କରିଥିବାବେଳେ ଆଜି ସେ ଗିରଫ ହୋଇଛନ୍ତି। ତାଙ୍କୁ ଜେରା ସମୟରେ ସେ ସ୍ବୀକାର କରିଛନ୍ତି ଯେ ସେ ସେଦିନ ଘଟଣାସ୍ଥଳରେ ଥିଲେ କିନ୍ତୁ ଇନ୍ସପେକ୍ଟରଙ୍କ ଉପରକୁ ସେ ଗୁଳିଚାଳନା କରିନାହାନ୍ତି। ଜେରାପରେ ଯବାନଙ୍କୁ ବୁଲନ୍ଦସର୍‌ ନ୍ୟାୟିକ ହାଜତରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ ଗତ ଡିସେମ୍ବର ୩ ତାରିଖରେ ୟୁପିର ବୁଲନ୍ଦସର ଜିଲ୍ଲାରେ ଗୋହତ୍ୟା ସନ୍ଦେହରୁ ତୁମୁଳକାଣ୍ଡ ଘଟିଥିଲା। ଜୋରଦାର ହିଂସା ଉପୁଜିଥିଲା। ହିଂସାର ଶିକାର ହୋଇ ଇନ୍ସପେକ୍ଟର ସୁବୋଧ କୁମାର ସିଂହ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର