ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସରେ ଗତ ସୋମବାର ଯାଇଥିବା ହିଂସାରେ ପୁଲିସ୍ ଇନ୍ସକେପ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟା ଘଟଣାରେ ସେନା ବାହିନୀର ଜନୈକ ଯବାନ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଏହାକୁ ନେଇ ଏବେ ଦେଶବ୍ୟାପି ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍ ପକ୍ଷରୁ ଆଗତ ଏଫ୍ଆଇଆର୍ରେ ଅଭିଯୁକ୍ତ ତାଲିକାରେ ୨୬ ଜଣଙ୍କ ନାମ ରହିଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ସେନା ବାହିନୀର ଜଣେ ଯବାନ ଜିତୁ ଓରଫ୍ ଫୌଜୀ। ଅଭିଯୁକ୍ତ ସେନା ଯବାନ ହିଁ ଗୁଳି ଚଲାଇ ଇନ୍ସକେପ୍ଟର ସୁବୋଧ କୁମାର ସିଂହଙ୍କୁ ହତ୍ୟା କରିଥିବା ଏହି ଏଫ୍ଆଇଆର୍ରେ ରହିଥିବା ଜାଣିବାକୁ ମିଳିଛି। ଇନ୍ସକେପ୍ଟର ସୁବୋଧ କୁମାର ସିଂହଙ୍କ ହତ୍ୟା ପରେ ଜିତୁ ବୁଲନ୍ଦସର ଛାଡ଼ି ଫେରାର୍ ହୋଇ ଯାଇଛନ୍ତି। ସେନା ବାହିନୀର ଅଭିଯୁକ୍ତ ଯବାନ ଜିତୁ ଜମ୍ମୁ- କଶ୍ମୀରରେ ମୁତୟନ ଥିଲେ।
ଗତକାଲି ବୁଲନ୍ଦସର ହିଂସା ଘଟଣାର ଭିଡିଓରୁ ସେନା ବାହିନୀର ଅଭିଯୁକ୍ତ ଯବାନ ଜିତୁ ହିଁ ଇନ୍ସକେପ୍ଟର ସୁବୋଧ କୁମାର ସିଂହଙ୍କ ଉପରକୁ ରିଭଲଭରରୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିବା ପରେ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ, ଏହି ଘଟଣା ପରେ ସେ ଫେରାର ହୋଇ ଯାଇଛନ୍ତି। କାଳେ ସେ ଜମ୍ମୁ- କଶ୍ମୀରରେ ଆତ୍ମଗୋପନ କରିଥିବେ ଏହି ଆଶଙ୍କାରେ ତାଙ୍କୁ ଗିରଫ ସହ ତାଙ୍କ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଉତ୍ତରପ୍ରଦେଶ ପୁଲିସ୍ର ଦୁଇଟି ସ୍ୱତନ୍ତ୍ର ଟିମ୍ ଆଜି ଜମ୍ମୁ- କଶ୍ମୀର ଯାଇଥିବା ଜାଣିବାକୁ ମିଳିଛି।