ବୁଲନ୍ଦସର ହିଂସା: ସୋସିଆଲ ମିଡିଆରେ ଭାଇରାଲ ହେଲା, ପୂରା ଘଟଣାର ଭିଡିଓ; ଇନସ୍‌ପେକ୍ଟରଙ୍କ ରିଭଲଭର ଛଡ଼ାଇ ନେଇ ସେଥିରେ କିପରି କଲେ ହତ୍ୟା…

ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍‌ ଗିରଫ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବୁଲନ୍ଦସରରେ ଗତ ସୋମବାର ଘଟିଥିବା ହିଂସାରେ ଜନୈକ ବରିଷ୍ଠ ପୁଲିସ୍‌ ଅଧିକାରୀ ସୁବୋଧ କୁମାର ସିଂହ ଓ ଅନ୍ୟଜଣେ ସାଧାରଣ ଜନତା ହତ୍ୟାର ଶିକାର ହେବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ସ୍ଥାନୀୟ ଉତ୍ତ୍ୟକ୍ତ ଜନତା କିପରି ପୁଲିସ୍‌ ବାହିନୀ ଉପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ପୁଲିସ୍‌ ଇନସପେକ୍ଟର ସୁବୋଧ କୁମାର ସିଂହଙ୍କ ରିଭଲଭରକୁ ଛଡ଼ାଇ ନେଇ ସେଥିରେ ତାଙ୍କୁ ହତ୍ୟା କରୁଛନ୍ତି, ତାହାର ସମସ୍ତ ଦୃଶ୍ୟ ଏହି ଭିଡିଓରେ କୈଦ ହୋଇଛି।

ପ୍ରଥମେ ଉତ୍ୟକ୍ତ ଜନତା ‘ମାରୋ… ମାରୋ’ ଚିତ୍କାର କରି ଟେକା ପଥର ଫିଙ୍ଗି ପୁଲିସ୍‌ ବାହିନୀ ଉପରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି। ପରେ ଉତ୍ୟକ୍ତ ଜନତାଙ୍କ ମଧ୍ୟରୁ ଚିତ୍କାର କରୁଛି, ‘ଛିନ୍‌ ଲୋ ବନ୍ଧୁକ ଇସ୍‌କୀ’… ତା’ପରେ ଶୁଭୁଛି ଗୁଳି ଫୁଟିବାର ଶବ୍ଦ ଏବଂ ପରେ ଦେଖିବାକୁ ମିଳୁଛି ଏକ ପଡ଼ିଆ ମଧ୍ୟରେ ଆହତ ଅବସ୍ଥାରେ ପଡ଼ିଛନ୍ତି ଇନସପେକ୍ଟର ସୁବୋଧ କୁମାର ସିଂହ ଓ ଅନ୍ୟ ଜଣେ ସାଧାରଣ ନାଗରିକ। ପରେ ପୁଲିସ୍‌ ଉତ୍ୟକ୍ତ ଜନତାଙ୍କ କବଳରୁ ଆହତ ଇନସପେକ୍ଟର ସୁବୋଧ କୁମାର ସିଂହ ଓ ଅନ୍ୟ ଜଣଙ୍କୁ ଗୋଟିଏ ପୁଲିସ୍‌ ଜିପ୍‌ରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଉଥିବା ବେଳେ ଉତ୍ୟକ୍ତ ଜନତା ସେଇ ପୁଲିସ୍‌ ଜିପ୍‌ ଉପରେ କିପରି ଭାବେ ଅକ୍ରମଣ କରୁଛନ୍ତି ତାହାର ଦୃଶ୍ୟ ମଧ୍ୟ ରହିଛି ଏହି ଭିଡିଓରେ।

ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍‌ ଗିରଫ!

ଅନ୍ୟପକ୍ଷରେ ଏହି ଭିଡ଼ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଦଳର ଯୋଗେଶ ରାଜ୍‌କୁ ଘଟଣାର ତଦନ୍ତ କରୁଥିବା ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌ (ସିଟ୍‌) ଆଜି ଗିରଫ କରିଥିବା ଜାଣିବାକୁ ମିଳିଛି। ଏହି ଘଟଣା ପରଠାରୁ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଯୋଗେଶ ରାଜ୍‌ ଫେରାର ହୋଇ ଯାଇଥିଲା ଏବଂ ତାକୁ ଗିରଫ କରିବା ପାଇଁ ସିଟ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଥିଲା। ତେବେ, ଯୋଗେଶ ରାଜ୍‌ର ଗିରଫଦାରୀ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ମନା କରିଛି ଉତ୍ତରପ୍ରଦେଶ ପୁଲିସ୍‌।

ସମ୍ବନ୍ଧିତ ଖବର