କଂଗ୍ରେସ ସଭାରେ ପଶିଗଲା ଷଣ୍ଢ, ମୋଦୀଙ୍କୁ ଦାୟୀ କଲେ ଗେହଲୋଟ୍

ଜୟପୁର : ରାଜସ୍ଥାନର ମେହସାନାରେ ଚାଲିଥିବା ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭାଷଣ ଦେଉଥିବାବେଳେ ଏକ ଷଣ୍ଢ ପଶିଆସିଥିଲା । ଲୋକମାନଙ୍କୁ ଦେଖି ଷଣ୍ଢ ହଡ଼ବଡ଼େଇଯାଇ ଏଣେତେଣେ ଦୌଡ଼ିବାକୁ ଲାଗିଲା । ଏହି ସମୟରେ ଗେହଲୋଟ ମଜାରେ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପଠାଇଛନ୍ତି । ଏହା ବିଜେପିର ଚାଲ.. ଅଧିକାଂଶ ସମୟରେ କଂଗ୍ରେସର ସଭାକୁ ଭଣ୍ଡୁର କରିବାକୁ ବିଜେପି ଚକ୍ରାନ୍ତ କରିଥାଏ । ପରେ ସେ ଲୋକମାନଙ୍କୁ ଶାନ୍ତ ରହିବାକୁ କହିଲେ ଓ କଂଗ୍ରେସ କର୍ମାମାନେ ଷଣ୍ଢକୁ ଅଡ଼େଇ ଦେବେ ବୋଲି କହିଲେ ।

ଅନ୍ୟପକ୍ଷରେ କିଛି ଦିନ ତଳେ ପରସ୍ପରକୁ ଗାଳି ଦେଉଥିବା ଅଶୋକ ଗେହଲୋଟ ଓ ସଚିନ ପାଇଲଟ ମଙ୍ଗଳବାରଦିନ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି । ଆଗାମୀ ୪ ତାରିଖରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ରାଜସ୍ଥାନରେ ପ୍ରବେଶ କରୁଥିବାରୁ ଦଳର ଏକତା ଦେଖାଇବାକୁ ଉଭୟ ଗୋଟିଏ ମଂଚରେ ଏକାଠି ହୋଇଥିଲେ ।

ଭାରତ ଯୋଡ଼ୋ ଯାତ୍ରାର ପ୍ରସ୍ତୁତି ସମୀକ୍ଷା ପାଇଁ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତାମାନେ ମଙ୍ଗଳବାରିଦନ ଜୟପୁରରେ ଦଳୀୟ ମୁଖ୍ୟାଳୟରେ ଏକତ୍ରିତ ହୋଇଥିଲେ । ଏହି ସମୟରେ ପାଇଲଟ ଓ ଗେହଲୋଟ ପରସ୍ପରକୁ ହାତ ଯୋଡ଼ି ଅଭିବାଦନ କରୁଥିବା ଦେଖାଯାଇଥିଲା । ଏହି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର