ନୂଆଦିଲ୍ଲୀ: ହରିୟାଣାରେ ସାଂପ୍ରଦାୟିକ ହିଂସା ପରେ ଲଗାତାର ୩ ଦିନ ଧରି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ହିଂସାସ୍ଥଳ ନୁହଠାରୁ ୨୦ କିମି ଦୂର ତଉରୁରେ ଅନେକ ବେଆଇନ ଘର ଏବଂ ଦୋକାନ ଭଙ୍ଗାଯାଇଛି। ଗୁରୁବାର ସନ୍ଧ୍ୟାରୁ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜୁଲାଇ ୩୧ ଦଙ୍ଗାରେ ସମ୍ପୃକ୍ତ ଥିବା ଦଙ୍ଗାକାରୀଙ୍କ ବେଆଇନ ଘର ଏବଂ ଦୋକାନ ସବୁ ଭଙ୍ଗାଯାଇଛି ବୋଲି ହରିୟାଣା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ନୁହ ଏସଡିଏମ୍ ଅଶ୍ବିନ କୁମାର କହିଛନ୍ତି, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ନିର୍ଦ୍ଦେଶକ୍ରମେ ଏହି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ସମସ୍ତ ବେଆଇନ ନିର୍ମାଣ ଭଙ୍ଗାଯାଉଛି।
ଯେଉଁମାନଙ୍କର ବେଆଇନ ଘର ଏବଂ ଦୋକାନ ସବୁ ଭଙ୍ଗାଯାଇଛି ସେମାନେ ସମସ୍ତେ ଦଙ୍ଗାରେ ସମ୍ପୃକ୍ତ ଥିଲେ ବୋଲି ଏସଡିଏମ୍ କହିଛନ୍ତି। ଗତକାଲି ତଉରୁରେ ୨୫୦ରୁ ଅଧିକ ଝୁମ୍ପୁଡ଼ି ଭଙ୍ଗାଯାଇଛି। ନୁହର ଏସକେଏମ୍ ସରକାରୀ ମେଡିକାଲ କଲେଜ ନିକଟରେ ବେଆଇନ ଝୁମ୍ପୁଡ଼ି ଘର ସବୁ ମାଟିରେ ମିଶିଛି। ହରିୟାଣା ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ବେଆଇନ ନିର୍ମାଣ ଭାଙ୍ଗିବା କାର୍ଯ୍ୟ ଜାରି ରହିଛି। କିନ୍ତୁ ନୁହ ପ୍ରଶାସନ ଦ୍ବାରା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନେଇ କୌଣସି ସରକାରୀ ବିବୃତି ଜାରି ହୋଇନି। ଶୁକ୍ରବାର ଦିନ ତଉରୁରେ ୪ଟି ସ୍ଥାନରେ ବୁଲଡୋଜର ମୁତୟନ ହୋଇଥିଲା। ୪୦ଟି ବେଆଇନ ଦୋକାନ ଭଙ୍ଗାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ନୁହରେ କର୍ଫ୍ୟୁ କଟକଣା ଜାରି ରହିଛି। ଆଜି ୨୪ରୁ ଅଧିକ ମେଡିସିନ ଷ୍ଟୋର ଭଙ୍ଗାଯାଇଛି।