ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ପ୍ରକଳ୍ପ ଅହମଦାବାଦ-ମୁମ୍ବାଇ ବୁଲେଟ ଟ୍ରେନର ଭବିଷ୍ୟତ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବାର ଆଶଙ୍କା ରହିଛି । ଏହାର କାରଣ ହେଉଛି ମହାରାଷ୍ଟ୍ରରେ ପ୍ରସ୍ତାବିତ ଶିବସେନା, କଂଗ୍ରେସ ଓ ଏନସିପି ମେଣ୍ଟ ସରକାର । ଏହି ମେଣ୍ଟ କ୍ଷମତାକୁ ଆସିଲେ ଏହି ପ୍ରକଳ୍ପକୁ ବାତିଲ କରିବାର ସମ୍ଭାବନା ରହିଛି ବୋଲି ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।
ଏହି ପ୍ରକଳ୍ପ ପାଇଁ ମହାରାଷ୍ଟ୍ର ସରକାର ୫ ହଜାର କୋଟି ଟଙ୍କା ବ୍ୟୟ କରିବେ । କିନ୍ତୁ ରାଜ୍ୟରେ ମେଣ୍ଟ ସରକାର ଆସିଲେ ଏହି ଅର୍ଥ ଦିଆଯିବ ନାହିଁ ଓ ଉକ୍ତ ଅର୍ଥକୁ ଜନକଲ୍ୟାଣମୂଳକ କାମରେ ବିନିଯୋଗ କରାଯିବ ବୋଲି ଏନସିପିର ଜଣେ ନେତା କହିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ ପ୍ରକଳ୍ପକୁୁ ଜାପାନ ସହାୟତାରେ ନିର୍ମାଣ କରାଯାଉଛି । ୨୦୧୭ ସେପ୍ଟେମ୍ବର ମାସରେ ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅହମଦାବାଦର ସାବରମତୀ ଷ୍ଟେସନରୁ ବାହାରି ମୁମ୍ବାଇ ପହଞ୍ଚିବାକୁ ବୁଲେଟ ଟ୍ରେନକୁ ମାତ୍ର ୨ ଘଣ୍ଟା ସମୟ ଲାଗିବ । ଅର୍ଥାତ ୫୦୮ କିଲୋମିଟର ଦୂରତ୍ୱ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ । ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୩୨୦ କିଲୋମିଟର ରହିବ ।