ନିଜ ଉପରେ ନିଜେ ଆକ୍ରମଣ କରାଇଛନ୍ତି ଇମ୍ରାନ ! ପାକ୍ ଗୁଇନ୍ଦା ଏଜେନ୍ସିର ସଂଦେହ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳୁଛି । ତେବେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଏକ ନୂଆ କଥା କହିଛି ।

ଇମ୍ରାନଙ୍କ ଉପରେ ଅନ୍ୟ କୌଣସି ରାଜନୈତିକ ଦଳ ନୁହନ୍ତି, ବରଂ ଖୋଦ ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ ଇନସାଫ୍ (ପିଟିଆଇ) ଆକ୍ରମଣ କରିଛି ବୋଲି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଅନୁମାନ କରୁଛି ।

ଗୁଇନ୍ଦା ଏଜେନ୍ସି ଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ଇମ୍ରାନଙ୍କ ଉପରେ ୪ଟି ଗୁଳି ଚଳାଯାଇଥିଲା । ସେଗୁଡ଼ିକ ମଧ୍ୟରୁ ୨ଟି ଇମ୍ରାନଙ୍କ ଗୋଡ଼ରେ ବାଜିଥିଲା । ପୁଣି ଦୁଇଟି ଗୁଳିରୁ ଗୋଟିଏ ଗୁଳିର ଧାସ କେବଳ ତାଙ୍କ ଶରୀରରେ ଲାଗିଛି । ସେ ଯେଉଁ କଣ୍ଟେନରରେ ଛିଡ଼ା ହୋଇଥିଲେ, ସେଠାରେ ଗୁଳି ତାଙ୍କ ଛାତି କିମ୍ବା ପେଟରେ ବାଜିବା କଥା । କିନ୍ତୁ ତାହା ହୋଇନାହିଁ ।

ଭୋଟରେ ଲୋକଙ୍କ ସମବେଦନା ପାଇବାକୁ ଇମ୍ରାନ ଏପରି ନାଟକ କରିଥାଇପାରନ୍ତି ବୋଲି ପାକ ଗୁଇନ୍ଦା ଏଜେନ୍ସିମାନେ ସଂଦେହ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାରଦିନ ଇମ୍ରାନ ପଂଜାବ ପ୍ରଦେଶର ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ ପରେ ପାକିସ୍ତାନର କେତେକ ସ୍ଥାନରେ ହିଂସା ଦେଖାଦେଇଛି ।

ଏହି ଆକ୍ରମଣର ଦିନକ ପରେ ଇମ୍ରାନ କହିଥିଲେ ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା । ତାଙ୍କ ଦଳର ନେତାମାନଙ୍କୁ ବି ଫୋନରେ ଧମକ ଦିଆଯାଉଛି ।

 

ସମ୍ବନ୍ଧିତ ଖବର