‘ବୁଲ୍ଲି ବାଇ’ ମାଷ୍ଟର ମାଇଣ୍ଡ ଶ୍ବେତା ସିଂହ ଗିରଫ

ମୁମ୍ବାଇ : ୧୮ ବର୍ଷୀୟା ଶ୍ବେତା ସିଂହ ‘ବୁଲ୍ଲି ବାଇ’ ମାମଲାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ‘ନିଲାମ’ ନିମନ୍ତେ ୱେବ୍‌ସାଇଟ୍‌ରେ ମୁସଲିମ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରିବା ସମ୍ପର୍କରେ ଅଭିଯୋଗ ହେବା ପରେ ମୁମ୍ବାଇ ପୁଲିସ ଖୋଳତାଡ଼ କରି ମଙ୍ଗଳବାର ଶ୍ବେତାଙ୍କୁ ଗିରଫ କରିଛି। ପୂର୍ବରୁ ଆଉ ଜଣେ ୨୧ ବର୍ଷୀୟ ଇଂଜିନିୟରିଂ ଛାତ୍ରକୁ ମଧ୍ୟ ସହ-ଅଭିଯୁକ୍ତ ଭାବେ ଗିରଫ କରାଯାଇଛି।

The Economic Times

ମୁଖ୍ୟ ଅଭିଯୁକ୍ତ ଶ୍ବେତା ଗତବର୍ଷ କରୋନାରେ ବାପାଙ୍କୁ ହରାଇଥିଲା। ତା’ ପୂର୍ବରୁ କ୍ୟାନସରରେ ତା’ ମାଆଙ୍କୁ ହରାଇଥିଲା। ତା’ର ଗୋଟିଏ ବଡ଼ ଭଉଣୀ ଅଛି ଯେ କି ବାଣିଜ୍ୟ ସ୍ନାତକ ଏବଂ ତା’ର ସାନ ଭଉଣୀ ଓ ଭାଇ ଉଭୟ ସ୍କୁଲରେ ପଢ଼ୁଛନ୍ତି। ସେ ନିଜେ ଇଂଜିନିୟରିଂ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲା। ଶ୍ବେତା ଜାଟଖାଲସା୦୭ ନାମରେ ଏକ ନକଲି ଟ୍ବିଟର ହ୍ୟାଣ୍ଡେଲ ବ୍ୟବହାର କରୁଥିଲା। ଏହି ହ୍ୟାଣ୍ଡେଲ ସାହାଯ୍ୟରେ ସେ ଆପତ୍ତିଜନକ ଫଟୋ ଓ ମନ୍ତବ୍ୟ ଆଦି ପୋଷ୍ଟ କରୁଥିଲା। ତା’ର ସାଙ୍ଗସାଥୀମାନେ ମଧ୍ୟ ସମାନ ଆଦର୍ଶର ଅନୁସରଣ କରୁଥିଲେ।

ମୁଖ୍ୟ ଅଭିଯୁକ୍ତ ଶ୍ବେତା ନେପାଳରେ ଥିବା ତା’ର ଜଣେ ସାଙ୍ଗର ନିର୍ଦ୍ଦେଶ ଅନୁସାରେ କାମ କରୁଥିବା ଅଭିଯୋଗ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଗିୟୁ ନାମକ ଜଣେ ନେପାଳୀ ନାଗରିକ ଆପ୍‌ରେ କ’ଣ କ’ଣ ସବୁ କରିବାକୁ ପଡ଼ିବ ସେ ନେଇ ଶ୍ବେତାକୁ ପରାମର୍ଶ ଦେଉଥିଲା। ପୁଲିସ ବର୍ତ୍ତମାନ ଗିୟୁର ଭୂମିକା ସମ୍ପର୍କରେ ତଦନ୍ତ କରିବା ସହ ଏଥିରେ ଆଉ କିଏ କିଏ ଜଡ଼ିତ ଅଛନ୍ତି, ସେ ନେଇ ଅନୁସନ୍ଧାନ କରୁଛି। ପୂର୍ବରୁ ବେଙ୍ଗାଲୁରୁରୁ ବିଶାଲ କୁମାର ନାମକ ସହ-ଅଭିଯୁକ୍ତକୁ ଗିରଫ କରାଯିବା ପରେ ତା’ଠାରୁ ଶ୍ବେତା ସମ୍ବନ୍ଧରେ ସୂଚନା ମିଳିଥିଲା। ବୁଧବାର ଭୋରରୁ ମୟଙ୍କ ରାୱଲ ନାମକ ଆଉ ଜଣେ ୨୧ ବର୍ଷୀୟ ଯୁବକକୁ ଉତ୍ତରାଖଣ୍ଡରୁ ଏହି ମାମଲାରେ ଗିରଫ କରାଯାଇଥିବା ମୁମ୍ବାଇ ପୁଲିସ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର