ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବୁରାଡ଼ି ବାସଭବନରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ହେବାର ୨୨ ଦିନ ପରେ, ରବିବାର ସନ୍ଧ୍ୟାରେ ତାଙ୍କ ପୋଷା କୁକୁର ଟମିର ହୃଦ୍ଘାତରେ ମୃତ୍ୟୁ ହୋଇଛି।
ପରିବାର ସଦସ୍ୟମାନେ ଘରର ଯେଉଁ ଗ୍ରିଲ୍ରେ ଓହଳି ଆତ୍ମହତ୍ୟା କରିଥିଲେ ସେହି ଏକା ଗ୍ରିଲ୍ରେ ଘରର ଟେରାସ୍ରେ ଟମି ବନ୍ଧା ହୋଇଥିଲା। ଉଦ୍ଧାର ବେଳେ ପୋଷା କୁକୁରଟି ଦେହରେ ୧୦୮ ଡିଗ୍ରି ଜର ଖଇଫୁଟୁଥିଲା ଓ ଆକ୍ରମଣ କରିବାକୁ ମାଡ଼ି ଆସୁଥିଲା।
ଟମି ମୁହଁରେ ତୁଣ୍ଡି ବନ୍ଧା ଯାଇ ତାକୁ ଆମ୍ବୁଲାନ୍ସ୍ରେ ଫୋଷ୍ଟର୍ ହୋମ୍କୁ ନିଆ ଯାଇଥିଲା।
‘ହାଉସ୍ ଅଫ୍ ଷ୍ଟ୍ରେ ଆନିମଲ୍ସ୍’ର ସଂସ୍ଥାପକ ତଥା ପ୍ରାଣୀ ଅଧିକାର କର୍ମୀ ସଞ୍ଜୟ ମହାପାତ୍ର କହନ୍ତି: ସେ ବିଷାଦଗ୍ରସ୍ତ ଓ ବ୍ୟାକୁଳ ହୋଇ ଉଠିଥିଲା। ତା’ ପରିବାରରେ କିଛି ଦୁର୍ବିପାକ ପଡ଼ିଥିବା କଥା ସେ ଜାଣି ପାରିଥିଲା। ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ତା’ର ହୃଦ୍ଘାତ ହୋଇଥିଲା।
ଉଦ୍ଧାର କରାଯିବା ପରେ ମହାପାତ୍ର ଏବଂ ତାଙ୍କ ଟିମ୍ ଟମିର ଦେଖାରଖା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଫଳରେ ସେ ଶାରୀରିକ ସମସ୍ୟାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲା। କିନ୍ତୁ ମହାପାତ୍ର କହନ୍ତି, ଟମି ପରିବାର ହରାଇବାର ଆଘାତରୁ ମୁକ୍ତି ପାଇ ନ ଥିଲା।
ଯେତେବେଳେ ମୋ କର୍ମଚାରୀମାନେ ତାକୁ ବୁଲାଇ ନିଅନ୍ତି ସେ ପ୍ରତି ବାଟୋଇଙ୍କ ମୁହଁକୁ ଚାହେଁ ଓ ନିଜ ପରିବାର ସଦସ୍ୟଙ୍କ ଖୋଜିବା ଭଳି ସେମାନଙ୍କୁ ଶୁଙ୍ଘିବାକୁ ଉଦ୍ୟମ କରେ। ତା’ ସ୍ୱାସ୍ଥ୍ୟରେ ଭଲ ଉନ୍ନତି ଦେଖା ଦେଇଥିଲା କିନ୍ତୁ, ସେ ସମ୍ମୁଖୀନ ହୋଇ ଥିବା କ୍ଷତି ଥିଲା ଅପୂରଣୀୟ।