ମୋ ଝିଅର ଅପରାଧୀକୁ ଫାଶୀ ଦେଇନପାରିଲେ ଜିଅନ୍ତା ଜାଳିଦିଅ: ଅଙ୍କିତାଙ୍କ ମା’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୌରୀ ଜିଲ୍ଲାରେ ଥିବା ରିସର୍ଟରେ ରିସେପ୍ସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ମା’ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଙ୍କିତାଙ୍କ ମା’ କହିଛନ୍ତି, ଅପରାଧୀଙ୍କୁ ଫାଶୀ ଦିଆଯାଉ। ଯଦି ସେମାନଙ୍କୁ ଆଇନ ଅନୁଯାୟୀ ଫାଶୀ ଦିଆଯାଇପାରିବ ନାହିଁ, ତେବେ ଅପରାଧୀଙ୍କୁ ସେମାନଙ୍କ ଘର ସାମ୍ନାରେ ଜିଅନ୍ତା ଜାଳି ଦିଆଯାଉ।

ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଝିଅର ଶେଷ ରୀତିନୀତି ତାଙ୍କୁ ନ ଜଣାଇ କରାଯାଇଥିଲା। ତାଙ୍କୁ ଶବଦାହ ବିଷୟରେ କୌଣସି ସୂଚନା ନଦେଇ ପ୍ରଶାସନ ଅଙ୍କିତାଙ୍କ ଶେଷ ରୀତିନୀତି କରିଥିଲା ବୋଲି ସେ ଜଣାଇଛନ୍ତି।

ଅନ୍ୟପକ୍ଷରେ ଅଙ୍କିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ପାଣି ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ସହ ତାଙ୍କ ଶରୀରର ୪-୫ଟି ସ୍ଥାନରେ ଆଘାତ ଲାଗିଥିବା ସାମ୍ନାକୁ ଆସିଛି। ରିପୋର୍ଟ ଅଙ୍କିତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ମଙ୍ଗଳବାର ପୁଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ଏହା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ କୋର୍ଟରେ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ। ଅଙ୍କିତାଙ୍କ ସହ ଅଭିଯୁକ୍ତମାନେ ଏକ ଜଘନ୍ୟ ଅପରାଧ କରିଥିବା କହିବା ସହ କୌଣସି ଅପରାଧୀକୁ  ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର