ତାଲିବାନଙ୍କ ଖରାପ ନଜରରୁ ହଟାଇବା ପାଇଁ ସ୍କୁଲ ଛାତ୍ରୀଙ୍କ ସବୁ ତଥ୍ୟ ପୋଡିଦେଲେ ପ୍ରତିଷ୍ଠାତା

କାବୁଲ: କାଳେ ତାଲିବାନଙ୍କ ଖରାପ ନଜର ସ୍କୁଲ ଛାତ୍ରୀଙ୍କ ଉପରେ ପଡିବ, କାଳେ ତାଲିବାନ ଜାଣିଦେବେ ସ୍କୁଲ ଛାତ୍ରୀଙ୍କ ଅସଲ ଠିକଣା, ଠିକ ସେଥିପାଇଁ ଇଚ୍ଛା ନଥିଲେ ବି ନିଜ ସ୍କୁଲର ସମସ୍ତ ଛାତ୍ରୀଙ୍କ ତଥ୍ୟକୁ ଜାଳିଦେଇଛନ୍ତି ସ୍କୁଲର ପ୍ରତିଷ୍ଠାତା | ଆଜି ଆମେ ଆପଣଙ୍କୁ ଆଫଗାନିସ୍ତାନର ଏମିତି ଏକ ଲୋମହର୍ଷକ ତଥା ଭୟାନକ କାହାଣୀ କହିବୁ ଯାହାକି ଶୁଣିଲେ ଆପଣ କହିବେ ଭୟର ରୂପ ବି ଏମିତି ଥାଏ | ଦୁଇ ଦଶନ୍ଧି ପୂର୍ବରୁ ଯେତେବେଳେ ତାଲିବାନ ଆଫଗାନିସ୍ତାନ ଦଖଲ କରିଥିଲା, ଝିଅମାନଙ୍କୁ ସ୍କୁଲ ଯିବାକୁ ବାରଣ କରିଥିଲା | ମାର୍ଚ୍ଚ ୨୦୦୨ରେ ଯେତେବେଳେ ଆମେରିକା ତାଲିବାନକୁ ହଟାଇଥିଲା, ଏହା ପରେ ଆଫଗାନିସ୍ତାନର ଝିଅମାନେ କିଭଳି ପାଠ ପଢିପାରିବେ ସେଥିପାଇଁ ଏକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା | ଏଠାରେ ଆଫଗାନ ଛାତ୍ରୀମାନେ ପାଠ ପଢିବା ସହ ସୁନେଲି ଭବିଷ୍ୟତର ସ୍ୱପ୍ନ ମଧ୍ୟ ଦେଖିଥିଲେ |

ବର୍ତ୍ତମାନ ୨୦ ବର୍ଷ ପରେ ପୁଣି ତାଲିବାନ ଆଫଗାନିସ୍ତାନକୁ ଫେରିଛି ଏବଂ ଏହି ଭୟ ଯୋଗୁଁ ଛାତ୍ରୀମାନଙ୍କର ସବୁ ତଥ୍ୟକୁ ସ୍କୁଲ ପ୍ରତିଷ୍ଠାତା ଜାଳିଦେଇଛନ୍ତି | ଶବାନା ବାସିଜ ହେଉଛନ୍ତି ଆଫଗାନିସ୍ତାନର ଏକମାତ୍ର ମହିଳା ବୋର୍ଡିଂ ସ୍କୁଲର ପ୍ରତିଷ୍ଠାତା ଏବଂ ସେ ଗତକାଲି ରାତିରେ ତାଙ୍କ ସ୍କୁଲ୍ ଛାତ୍ରୀମାନଙ୍କ ସମସ୍ତ ତଥ୍ୟ ପୋଡି ଦେଇଛନ୍ତି। ବାସିଜ କହିଛନ୍ତି ଯେ ତାଙ୍କ ଛାତ୍ରୀ ଏବଂ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ସେ ଏହା କରିଛନ୍ତି | ଶବାନା ଟ୍ୱିଟରରେ ଲେଖିଛନ୍ତି, ‘ପ୍ରାୟ ୨୦ ବର୍ଷ ପରେ, ଆଫଗାନିସ୍ତାନର ଝିଅମାନଙ୍କ ପାଇଁ ଏକମାତ୍ର ବୋର୍ଡିଂ ସ୍କୁଲର ପ୍ରତିଷ୍ଠାତା ଭାବରେ ମୁଁ ମୋର ସମସ୍ତ ଛାତ୍ରୀଙ୍କ ରେକର୍ଡ ଜାଳି ଦେଉଛି। ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ବଞ୍ଚାଇବା ପାଇଁ ଏଭଳି ଏକ ଘୃଣ୍ୟ କାର୍ଯ୍ୟ କରିବାକୁ ପଡୁଛି | ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଶବାନା ବାସିଜ ଏଭଳି କାହିଁକି କଲେ |


ପ୍ରକୃତ କଥା ହେଉଛି ଯେ ତାଲିବାନମାନେ ଛାତ୍ରୀମାନେ ଶିକ୍ଷାଲାଭ କରିବାକୁ ପସନ୍ଦ କରନ୍ତି ନାହିଁ | ଯେଉଁମାନେ ପାଠ ପଢିବାକୁ ଚାହାଁନ୍ତି, ସେମାନଙ୍କ ପରିବାରକୁ ମାରିଦେବାର ଧମକ ଦିଆଯାଏ | ଆଉ କିଛି ଆଫଗାନ ମହିଳା ଆଶଙ୍କା କରିଛନ୍ତି ଯେ ତାଲିବାନମାନେ ଶାରିଆ ଆଇନକୁ କଡ଼ାକଡ଼ି କରିବେ ଏବଂ ଝିଅମାନଙ୍କୁ ସ୍କୁଲକୁ ବା କର୍ମକ୍ଷେତ୍ରକୁ ଯିବାକୁ ଦେବେ ନାହିଁ। ସେମାନଙ୍କର ସବୁ ମୌଳିକ ଅଧିକାର ଛଡ଼େଇ ନିଆଯିବ ଏବଂ ଅଧିକାର ଓ ସ୍ବାଧୀନତା ପାଇଁ ଲଢ଼େଇ କରିବା ପରେ ଆମକୁ ବୁର୍ଖା ଖୋଜିବାକୁ ଓ ନିଜ ପରିଚୟ ଲୁଚେଇବାକୁ ପଡ଼ିବ।

ସମ୍ବନ୍ଧିତ ଖବର