କେନାଲକୁ ଖସିପଡ଼ିଲା ବସ୍‌, ୩୦ ମୃତ, ଅଧିକାଂଶ ସ୍କୁଲ୍‌ ଛାତ୍ର

ମାଣ୍ଡ୍ୟା: କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଆଜି କେନାଲ୍‌ ମଧ୍ୟକୁ ଏକ ବସ୍‌ ଖସିପଡ଼ିବା ଫଳରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ୍‌ ଛାତ୍ର ଅଛନ୍ତି। କିନ୍ତୁ ଜଣେ ବାଳକ ବସ୍‌ରୁ ଡେଇଁପଡ଼ିବାରୁ ବଞ୍ଚିଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ପାଣ୍ଡବପୁର ତାଲୁକ୍‌ ସ୍ଥିତ କଙ୍ଗନମାରଦୀ ଗ୍ରାମ ନିକଟରେ କାବେରୀ ନଦୀର ଭିସି କେନାଲ୍‌ ମଧ୍ୟକୁ ବସ୍‌ଟି ଖସିପଡ଼ିଥିଲା। ଦୁର୍ଘଟଣା ଦେଖି ପ୍ରଥମେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ପରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିଲେ। ତେବେ ବସ୍‌ଟି ସଙ୍ଗେସଙ୍ଗେ ପାଣିରେ ବୁଡ଼ି ଯାଇଥିବାରୁ ଏବଂ ବସ୍‌ର ଡୋର୍‌ କେନାଲ୍‌ରେ ତଳମୁହାଁ ହୋଇ ରହିଯିବାରୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟଦାୟକ ହୋଇଥିଲା। ବସ୍‌ ଚାଳକ ବସ୍‌ ମଧ୍ୟରୁ ବାହାରିବାରେ ସକ୍ଷମ ହୋଇଥିବାରୁ ପହଁରି ପହଁରି ଜୀବନ ବଞ୍ଚାଇଛନ୍ତି। ବସ୍‌ରେ ସମୁଦାୟ ୩୫ଜଣ ଯାତ୍ରୀ ଥିଲେ। ତେବେ ଦୁର୍ଘଟଣାର କାରଣ ଏଯାବତ୍‌ ସ୍ପଷ୍ଟ ଜଣାପଡ଼ିନାହିଁ। କର୍ଣ୍ଣାଟକ ଉପମୁଖ୍ୟନ୍ତ୍ରୀ ଜି ପରମେଶ୍ବର କହିଛନ୍ତି ‌ଯେ ଚାଳକଙ୍କ ଭୁଲ୍‌ ହେତୁ ଏତେବଡ଼ ଦୁର୍ଘଟଣା ଘଟିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇବା ପାଇଁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉକ୍ତ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର