ପାଟନା : ବିହାରରେ ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯିବା ଫଳରେ ୨୭ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବିହାରର ମୁଜାଫରପୁରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଘରୋଇ ବସ୍ଟି ଆଜି ପୂର୍ବ ଚମ୍ପାରନ୍ର ମୋତିହାରି ଅଞ୍ଚଳର ବେଲ୍ଓ୍ଵା ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ-୨୮ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିୟନ୍ତ୍ରଣ ହରାଇବା ପରେ ବସ୍୍ଟି ଏକ ଖାତରେ ପଶିଯିବା ପରେ ଓଲଟି ପଡ଼ିଥିଲା ଏବଂ ତତ୍୍କ୍ଷଣାତ ନିଆ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟ ୧୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ମୁଜାଫରପୁରରୁ ଏହି ଘରୋଇ ଏସି୍ ବସ୍ ଆଜି ଅପରାହ୍ନ ୩ଟା ସମୟରେ ୩୯ ଯାତ୍ରୀଙ୍କୁ ଧରି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଆହତମାନଙ୍କୁ ଶ୍ରୀ କ୍ରୀଷ୍ଣା ମେଡିକାଲ କଲେଜ ଏବଂ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ମନ୍ତ୍ରୀ ଦିନେଶ ଚନ୍ଦ୍ର ଯାଦବ କହିଛନ୍ତି ଯେ, ପୂର୍ବ ଚମ୍ପାରନ୍ ଜିଲ୍ଲାପାଳ ଏହି ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ କୋଟ୍ଓ୍ଵା ଥାନା ଏସ୍ଏଚ୍ଓ ବିଜୟ ସିହ୍ନା କହିଛନ୍ତି ଯେ ବସ୍ରୁ ମାତ୍ର ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଓ ଅନ୍ୟମାନଙ୍କ ଅବସ୍ଥା ଉଦ୍୍ବେଗଜନକ ରହିଛି। ମୃତାହତଙ୍କ ମଧ୍ୟରୁ ଅଧିକାଂଶ ମୁଜାଫରପୁର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟିବାର ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଅଗ୍ନି ନିର୍ବାପକ ଦଳ ଉକ୍ତ ସ୍ଥାନରେ ପହଞ୍ଚି ପାରିନଥିବାରୁ ବସ୍ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp