ବିପଦ ଉପରେ ବିପଦ : ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ନେଇଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ମେଦିନୀପୁର : ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା କୁ ନେଇ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି । ପଶ୍ଚିମବଙ୍ଗର ମେଦିନୀପୁରରେ ଶନିବାର ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଜାତୀୟ ରାଜପଥରେ ଜାମ୍ ଲାଗି ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରରେ ରେଳ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା କିଛି ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାକୁ ପଠାଯାଉଛି । ଏହି ସମୟରେ ବାଟରେ ମେଦିନୀପୁର ନିକଟରେ ଏକ ପିକ୍ ଅପ୍ ଭ୍ୟାନ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବସରେ ଥିବା ଅନେକ ଲୋକ ସାମାନ୍ୟ ଆହତ ହୋଇଥିବା ଆଶଙ୍କା କରାଯାଉଛି । କିନ୍ତୁ ଏହି ଯାତ୍ରୀମାନେ ପୂର୍ବରୁ ହିଁ ଆହତ ହୋଇଥିବାରୁ ପୁଣି ଥରେ ଆହତ ହେବା ପରେ ଚିନ୍ତିତ ହୋଇପଡ଼ିଛନ୍ତି ।

ସୂଚନାଯୋଗ୍ଯ ଯେ, ଶନିବାର ପୂର୍ବାହ୍ଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହା ସହିତ ପଶ୍ଚିମବଙ୍ଗ ସରକାରଙ୍କ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଅଧିକାଂଶ ମୃତାହତ ପଶ୍ଚିମବଙ୍ଗର ହୋଇଥିବାରୁ ସେମାନେ ଘଟଣାସ୍ଥଳରେ ରହି ସାମାନ୍ୟ ଆହତମାନଙ୍କୁ ନିଜ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ।

ସମ୍ବନ୍ଧିତ ଖବର