କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲା ଚିନ୍ନାଟେକୁର ନିକଟରେ ଶୁକ୍ରବାର ଭୋର ସମୟରେ ଏକ ଘରୋଇ ଟ୍ରାଭେଲ୍ ବସ୍ ଏକ ଦୁଇଚକିଆ ଯାନ ସହ ଧକ୍କା ହେବାରୁ ଗାଡ଼ିର ତେଲ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ଟି ଧୁଧୁ ହୋଇ ଜଳିବା ସହ ସେଥିରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି।  ବସ୍‌ଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିଲା।

Advertisment

ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ।   ପୁଲିସ କହିଛି ଯେ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ଜଳିଯାଇଛି, ଯାହାକୁ ଚିହ୍ନଟ କରିବା କଷ୍ଟକର। ଭୋର ପ୍ରାୟ ସାଢ଼େ ୩ଟା ବେଳେ ଏହି ଘଟଣା ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ପ୍ରଥମେ ବସ୍‌ର ଆଗପଟରେ ନିଆଁ ଲାଗିଥିଲା। ୧୨ ଜଣ ଯାତ୍ରୀ ଜରୁରିକାଳୀନ ପ୍ରସ୍ଥାନ ଦ୍ବାର ଭାଙ୍ଗି ଆହତ ଅବସ୍ଥାରେ ଖସି ପଳାଇବାକୁ ସଫଳ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କୁର୍ଣ୍ଣୁଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିବା ସମୟରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା, ଯାହା ସମ୍ଭବତଃ ଦୁର୍ଘଟଣାର କାରଣ ହୋଇଥାଇପାରେ।   

ବାଇକ୍‌ ଧକ୍କା ପରେ ତେଲ ଟାଙ୍କିରେ ବି‌ସ୍ଫୋରଣ
ମୃତକଙ୍କୁ ଚିହ୍ନଟ ପାଇଁ ଡିଏନ୍‌ଏ ନମୁନା ସଂଗ୍ରହ

ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ବସ୍ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ଏହି କଠିନ ସମୟରେ ପ୍ରଭାବିତ ଲୋକ ଓ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି’ରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା କରି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ସମବେଦନା ଜଣାଇ କହିଛନ୍ତି, ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି, ବସ୍ ଅଗ୍ନିକାଣ୍ଡ ବିଷୟରେ ଜାଣି ମୁଁ ମର୍ମାହତ। ସରକାରୀ କର୍ତ୍ତୃପକ୍ଷ ଆହତ ଓ ପ୍ରଭାବିତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟକୁମାର ଯାଦବ କହିଛନ୍ତି ଯେ, ପୀଡିତଙ୍କୁ ଚିହ୍ନଟ କରିବା ପାଇଁ ଡିଏନ୍ଏ ନମୁନା ସଂଗ୍ରହ କରାଯାଉଛି। ଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସେବା ଯୋଗାଇବାକୁ କୁର୍ଣ୍ଣୁଲ ଜିଜିଏଚ୍ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମାନ୍ୟ ଆହତ  ଛଅ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସ୍‌ଚାର୍ଜ କରାଯାଇଥିବା ଜଣାପଡ଼ିଛି।