ହିମାଚଳ ପ୍ରଦେଶ : ୨୦୦ ମିଟର ଗଭୀର ଖାଇରେ ଖସିପଡ଼ିଲା ବସ, ୯ ଯାତ୍ରୀ ମୃତ

ସିମଲା : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲା ଟିସା ସବଡିଭିଜନ ଅନ୍ତର୍ଗତ କଲୋନୀ ମଡ୍ ଠାରେ ଏକ ଯାତ୍ରୀବାହୀ ବସ ପ୍ରାୟ ୨୦୦ ଫୁଟ ଗଭୀର ଖାଇରେ ଖସିପଡ଼ିବାରୁ ୯ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି ଓ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ବସଟି ମାଙ୍ଗଲି-ବୁନ୍ଦେଦିରୁ ଚମ୍ବାକୁ ଯାଉଥିବାବେଳେ କଲୋନୀ ମଡଠାରୁ ୫୦୦ ମିଟର ଦୂରରେ ଥିବା ଏକ ଖାଇରେ ଖସିପଡ଼ିଥିଲା ।  ବସଟି ଖସିପଡ଼ିବା ପରେ ଘଟଣାସ୍ଥଳରେ ହିଁ ୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଆଉ ୩ ଜଣ ଟିସା ହସପିଟାଲରେ ପ୍ରାଣ ହରାଇଥିଲେ ।

ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ସ୍ଥାନୀୟ ଟିସା ହସପିଟାଲରେ ଭର୍ତ୍ତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ କରିବା ସହ ଆହତମାନଙ୍କ ଚିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର ଆହତମାନଙ୍କୁ ଚମ୍ବା ମେଡିକାଲ କଲେଜ ଓ ଆବଶ୍ୟକପଡ଼ିଲେ ଚଣ୍ଡିଗଡ଼ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧିତ ଖବର