ଉଛୁଳା ନଦୀରେ ଫସିଲା ଭାରତରୁ ନେପାଳକୁ ଯାଉଥିବା ମୈତ୍ରୀ ବସ, ଅଳ୍ପକେ ବର୍ତ୍ତିଲେ ୫୩ ଜଣ ଯାତ୍ରୀ

ନୂଆଦିଲ୍ଲୀ: ଉଛୁଳା ନଦୀରେ ଫସିଲା ଭାରତରୁ ନେପାଳକୁ ଯାଉଥିବା ବସ | ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସୀମାରେ ଥିବା କୋତୱାଲି ନଦୀରେ ବସଟି ଫସିଯାଇଥିଲା | ବସରେ ୫୩ ଜଣ ଯାତ୍ରୀ ଥିଲେ | ଯଦି ବସ୍ ବୁଡ଼ି ଯାଇଥାନ୍ତା କିମ୍ବା ବନ୍ୟାଜଳରେ ଭାସିଯାଇଥାନ୍ତା ତେବେ ଏହା ଏକ ବଡ ପ୍ରସଙ୍ଗ ହୋଇଥାନ୍ତା | କାରଣ ଏହି ବସ ଭାରତରୁ ନେପାଳକୁ ଯାଉଥିଲା | ମୈତ୍ରୀ ବସ ନାମରେ ଜଣାଶୁଣା ଏହି ବସରେ ଅଧିକାଂଶ ନେପାଳ ନାଗରିକ ଯାତ୍ରା କରୁଥିଲେ | ତେବେ ସୌଭାଗ୍ୟବଶତଃ ଜେସିବି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ପାଣିରେ ଅଟକି ରହିଥିବା ବସକୁ ଉଦ୍ଧାର କରାଯାଇଥିବାବେଳେ ଯାତ୍ରୀଙ୍କୁ ଏସଡ଼ିଆରଏଫ ଏବଂ ପୁଲିସ୍ ଟିମ୍ ଉଦ୍ଧାର କରିଥିଲେ | ଉଲ୍ଲେଖ ଥାଉ କି ଉତ୍ତରାଖଣ୍ଡର ହରିଦ୍ୱାର ଏବଂ ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଥିବା କୋତୱାଲୀ ନଦୀ ସେତୁ ପୂର୍ବରୁ ଭାଙ୍ଗିଯାଇଥିଲା |

ଆଉ ସେତୁ ଭାଙ୍ଗିଯାଇଥିବାରୁ ବିକଳ୍ପ ରାସ୍ତା ଦେଇ ବସଟି ଯାଉଥିଲା | ତେବେ ହଠାତ ପାଣି ଆସିଯିବାରୁ ବସ ମଝି ନଦୀରେ ଫସିଯାଇଥିଲା | ବସ୍ ଅଟକି ରହିଥିବା ସୂଚନା ପାଇବା ମାତ୍ରେ ପୁଲିସ ସହିତ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ନଦୀରେ ପ୍ରବଳ ଜଳ ପ୍ରବାହିତ ହେଉଥିବାରୁ ଜେସିବି ଦ୍ୱାରା ବସକୁ ଟାଣିକି ଅଣାଯାଇଥିଲା | ତେବେ ଗତ ଏକ ମାସ ମଧ୍ୟରେ କୋତୱାଲୀ ନଦୀରେ ବସଟି ଅଟକି ରହିବାର ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଅନ୍ୟ ଏକ ବସ୍ ନଦୀ ମଝିରେ ଫସିଯାଇଥିଲା | ଏଥିରେ ମଧ୍ୟ ନେପାଳର ଯାତ୍ରୀମାନେ ଥିଲେ। ପରେ ସେହି ବସ୍‌କୁ ମଧ୍ୟ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର