ନୂଆଦିଲ୍ଲୀ: ୟୁକ୍ରେନ୍ର ବୁସାରେ ଘଟିଥିବା ନରସଂହାରକୁ ସାରା ବିଶ୍ବ ନିନ୍ଦା କରିଥିବା ବେଳେ ରୁଷ୍ ଏହାକୁ ମିଥ୍ୟା ଓ ଷଡ଼ଯନ୍ତ୍ର ବୋଲି ଦାବି କରିଛି। ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେୟି ଲାବ୍ରୋବ କହିଛନ୍ତି, ପଶ୍ଚିମ ରାଷ୍ଟ୍ରମାନେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ କଥାବାର୍ତ୍ତା ଭଣ୍ଡୁର କରିବାକୁ ଚେଷ୍ଟା କରିଛନ୍ତି। ୟୁକ୍ରେନ୍ କର୍ତ୍ତୃପକ୍ଷ ରୁଷ୍କୁ ବଦନାମ କରିବା ପାଇଁ ବହୁତ ବଡ଼ ଷଡ଼ଯନ୍ତ୍ର କରିଛନ୍ତି। ରୁଷ୍ ବିରୋଧରେ ବିଭିନ୍ନ ରାଷ୍ଟ୍ରକୁ ମତାଇବା ପାଇଁ ବୁସାରେ ଏକ ବିଭତ୍ସ କଳ୍ପନାକୁ ରୂପ ଦିଆଯାଇଛି। ତେବେ ସଠିକ୍ ତଦନ୍ତ ହେଲେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହେବ ବୋଲି ସେ କହିଛନ୍ତି। ରୁଷ୍ ବିରୋଧରେ ଯୁଦ୍ଧ ଅପରାଧ ଅଭିଯୋଗ ଆଣି ପଶ୍ଚିମ ରାଷ୍ଟ୍ରମାନେ ଅଧିକ ଉତ୍ତେଜନା ବଢ଼ାଇଛନ୍ତି ଏବଂ ଏହାଦ୍ବାରା କଥାବାର୍ତ୍ତା ବାଧାପ୍ରାପ୍ତ ହେବ ବୋଲି ଲାବ୍ରୋବ୍ କହିଛନ୍ତି। ରୁଷ୍ ୟୁକ୍ରେନ୍ର ବୁସା ସହରରେ ଯୁଦ୍ଧ ଅପରାଧ ଘଟାଇଛି ବୋଲି ୟୁକ୍ରେନ୍ ଏବଂ ପଶ୍ଚିମ ରାଷ୍ଟ୍ରମାନେ ଦାବି କରିଛନ୍ତି। ତେବେ ଏହା ଏକ ଯୋଜନାବଦ୍ଧ ଚକ୍ରାନ୍ତ ବୋଲି ରୁଷ୍ କହିଛି। ରୁଷ୍ ସେନା ବୁସା ଛାଡ଼ିବା ପରେ ଏହାକୁ ଏକ ମଉକା ଭାବେ ଗ୍ରହଣ କରି ଅତ୍ୟନ୍ତ ନାଟକୀୟ ଭାବେ ଏକ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରାଯାଇଛି ଏବଂ ସେହି ଆଧାରରେ ପଶ୍ଚିମ ରାଷ୍ଟ୍ରଙ୍କ ନିୟନ୍ତ୍ରଣରେ ଥିବା ଗଣମାଧ୍ୟମଗୁଡ଼ିକ ଅପପ୍ରଚାର ଚଳାଇଛନ୍ତି। ତୁର୍କୀରେ ରୁଷ୍ ଏବଂ ୟୁକ୍ରେନ୍ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଅଗ୍ରଗତିକୁ ରୋକିବା ପାଇଁ ଏଭଳି ଅଭିଯୋଗ ହୋଇଛି ବୋଲି ଲାବ୍ରୋବ କହିଛନ୍ତି। ୟୁକ୍ରେନ୍ ମଧ୍ୟ କଥାବାର୍ତ୍ତା ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି। ରୁଷ୍ର ପୂର୍ବତନ ରାଷ୍ଟ୍ରପତି ଡିମିତ୍ରି ମେଡଭେଡେବ କହିଛନ୍ତି ଯେ ବୁସା ‘ନରସଂହାର’ ହେଉଛି ୟୁକ୍ରେନ୍ ସରକାରର ଏକ ବିଭତ୍ସ କଳ୍ପନା ଏବଂ ଏହାକୁ ପଶ୍ଚିମ ରାଷ୍ଟ୍ରମାନେ ଅସ୍ତ୍ର କରି ଅପପ୍ରଚାର ଚଳାଇଛନ୍ତି।
କଥାବାର୍ତ୍ତା ଭଣ୍ଡୁର କରିବାକୁ ‘ବୁସା’ ଏକ ଷଡ଼ଯନ୍ତ୍ର: ରୁଷ୍
ୟୁକ୍ରେନ୍ର ‘ବିଭତ୍ସ କଳ୍ପନା’କୁ ନେଇ ପଶ୍ଚିମ ରାଷ୍ଟ୍ର ଅସ୍ତ୍ର କରୁଛନ୍ତି
/sambad/media/post_attachments/wp-content/uploads/2022/04/564j6g54d65gddgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)