‘ଜନତା କର୍ଫ୍ୟୁ’ରେ ଭାଗନେବେ ବ୍ୟବସାୟୀ : ଓଡ଼ିଶାରେ ୨୦ ଲକ୍ଷ ଦୋକାନ ବନ୍ଦ ରହିବ
ଖୋଲା ରହିବ ପେଟ୍ରୋଲ ପମ୍ପ, ଔଷଧ ଦୋକାନ
ନୂଆଦିଲ୍ଲୀ/ଭୁବନେଶ୍ବର : ଆସନ୍ତା ୨୨ ତାରିଖ, ରବିବାର ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନବାହାରିବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆଗେଇ ଆସିଛି। ୨୨ ତାରିଖରେ ଦେଶର ୭ କୋଟି ବ୍ୟବସାୟୀ ସେମାନଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବେ ବୋଲି ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି। ସବୁ ରାଜ୍ୟର ବ୍ୟବସାୟୀ ସଂଘ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଦେଶବ୍ୟାପୀ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ୪୦ କୋଟି କର୍ମଚାରୀ ଘରେ ରହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଜନତା କର୍ଫ୍ୟୁକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି। ରବିବାର ଓଡ଼ିଶାରେ ଜନତା କର୍ଫ୍ୟୁ ପାଇଁ ୨୦ ଲକ୍ଷ ଦୋକାନ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ରାଜ୍ୟରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସହ ଅଧୀନରେ ୧୯୪ଟି ସଂଘ ରହିଛି। ସେସବୁ ସଂଘଙ୍କୁ ଦୋକାନ ବନ୍ଦ ପାଇଁ କୁହାଯାଇଛି। ତେବେ ଡାଲି, ଚାଉଳ, ପନି ପରିବା ଓ ଆମିଷ ଆଦି ଦୋକାନ ବନ୍ଦ ରହିଲେ ମଧ୍ୟ ପେଟ୍ରୋଲ ପମ୍ପ ଏବଂ ଔଷଧ ଦୋକାନ ଖୋଲା ରହିବ। ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ସର୍ବନିମ୍ନ କର୍ମଚାରୀ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବେ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଂଜୟ ଲାଠ୍ କହିଛନ୍ତି। ସେହିଭଳି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନର ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି।