ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି ଉତ୍ତରାଖଣ୍ଡର ପବିତ୍ର ଭୂମିରେ ପହଞ୍ଚି କେଦାରନାଥ ଓ ବଦ୍ରିନାଥ ମନ୍ଦିର ଦର୍ଶନ କରିଥିଲେ। ଏହି ସମୟରେ ବଦ୍ରିନାଥ-କେଦାରନାଥ ମନ୍ଦିରର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ମୁକେଶ ଅମ୍ବାନିଙ୍କ ଭବ୍ୟ ସ୍ୱାଗତ କରି ପାଛୋଟି ନେଇ ଏକ ପାରମ୍ପରିକ ଉତ୍ତରାଖଣ୍ଡୀ ଟୋପି ପ୍ରଦାନ କରିଥିଲେ।
କେଦାରନାଥ ଓ ବଦ୍ରିନାଥ ଗସ୍ତ ସମୟରେ ଅମ୍ବାନି ଭକ୍ତିରେ ଲୀନ ହୋଇଯାଇଥିଲେ। ଦର୍ଶନପରେ ମନ୍ଦିର ପାଇଁ ଅମ୍ବାନି ମୋଟ ୧୦ କୋଟି ଟଙ୍କା ଦାନ କରିଛନ୍ତି। ଏହି ଦାନ ମନ୍ଦିରର ସୌନ୍ଦର୍ଯ୍ୟକରଣ, ତୀର୍ଥଯାତ୍ରୀଙ୍କ ସୁବିଧାର ବିସ୍ତାର ଏବଂ ଧାର୍ମିକ ଐତିହ୍ୟର ସଂରକ୍ଷଣ ପାଇଁ ବ୍ୟବହାର କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ପ୍ରକାଶ। ଏଥିସହିତ ଅମ୍ବାନି ବଦ୍ରିନାଥରେ ୧୦୦ କୋଠରୀ ବିଶିଷ୍ଟ ଏକ ଅତିଥି ଭବନ ନିର୍ମାଣରେ ସହାୟତା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ଅମ୍ବାନି କହିଛନ୍ତି, ‘ଧାମି ସରକାର ତୀର୍ଥପଥର ବିଭିନ୍ନ ସ୍ଥାନରେ ତୀର୍ଥଯାତ୍ରୀଙ୍କ ପାଇଁ ଉତ୍କୃଷ୍ଟ ବ୍ୟବସ୍ଥା କରିଛନ୍ତି। ଏପରି ନିରାପଦ ଏବଂ ସୁବ୍ୟବସ୍ଥିତ ସୁବିଧା ଅନ୍ୟ ତୀର୍ଥସ୍ଥଳରେ ବହୁତ କମ୍ ଦେଖାଯାଏ। ମୁଁ ପ୍ରାୟ ୨୦ ବର୍ଷ ଧରି ଉତ୍ତରାଖଣ୍ଡ ଗସ୍ତ କରୁଛି, କିନ୍ତୁ ଏପରି ଉତ୍କୃଷ୍ଟ ବ୍ୟବସ୍ଥା କେବେ ଦେଖିନାହାଁନ୍ତି।
ଆଗାମୀ ୧୦ ବର୍ଷ ମଧ୍ୟରେ ଉତ୍ତରାଖଣ୍ଡକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ଆଶା କରାଯାଉଛି।
ରାଜ୍ୟରେ ସମ୍ପ୍ରତି ଘଟିଥିବା ବାଦଲଫଟା ବର୍ଷା କାରଣରୁ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ମୁଁ ଦୁଃଖୀତ। ଆବଶ୍ୟକତା ସମୟରେ ମୁଁ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ସର୍ବଦା ଉତ୍ତରାଖଣ୍ଡ ସହିତ ଠିଆ ହେବେ। ତୀର୍ଥସ୍ଥଳ ଏବଂ ପରିବେଶ ସୁରକ୍ଷାରେ ଉତ୍ତରାଖଣ୍ଡ ସରକାରଙ୍କୁ ମୁଁ ପୂର୍ଣ୍ଣ ସହଯୋଗ କରିବି।’।।