ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ କାମ ଦେଖି ଧୋକା ଦେବା ଡରରେ ସ୍ତ୍ରୀଙ୍କୁ ପଢ଼ାଇଲେନି ସ୍ବାମୀ

ବକ୍ସର: ଉତ୍ତରପ୍ରଦେଶରେ ଏସଡିଏମ ଜ୍ୟୋତି ମୌର୍ଯ୍ୟ କରିଥିବା କାମର ପ୍ରଭାବ ଏବେ ବିହାରର ବକ୍ସରରେ ମଧ୍ୟ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକ ନିଜ ପତ୍ନୀଙ୍କୁ ପାଠ ପଢ଼ାଇବାକୁ ମନା କରିଦେଇଛନ୍ତି। ପତ୍ନୀ ପାଠ ପଢ଼ି ଚାକିରି କଲେ ଧୋକା ଦେବ ବୋଲି ସନ୍ଦେହ କରି ଯୁବକଜଣକ ଏଭଳି କରିଛନ୍ତି। ଜ୍ୟୋତି ମୌର୍ଯ୍ୟ ଏସଡିଏମ ହେବା ମାତ୍ରେ ତାଙ୍କ ସ୍ୱାମୀଙ୍କୁ ଛାଡିଥିଲେ। ଏହି ଘଟଣା ବିଷୟରେ ଜାଣି ବକ୍ସରରେ ରହୁଥିବା ଯୁବକ କହିଛନ୍ତି ଯେ ମୁଁ ମୋ ପତ୍ନୀଙ୍କୁ ଦ୍ବିତୀୟ ଜ୍ୟୋତି ମୌର୍ଯ୍ୟ ହେବାକୁ ଦେବି ନାହିଁ।

ଏହି ଘଟଣା ମୁରାର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଏଠାରେ ରହୁଥିବା ଖୁସବୁ ତାଙ୍କ ସ୍ୱାମୀଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ପତ୍ନୀ କହିଛନ୍ତି ଯେ ଜ୍ୟୋତି ମୌର୍ଯ୍ୟଙ୍କ ପରି ମୁଁ ଧୋକା ଦେବି ବୋଲି ଭାବି ମୋ ସ୍ବାମୀ ମୋତେ ପଢ଼ିବାକୁ ଛାଡ଼ୁନାହାନ୍ତି। ଖୁସବୁ ପୁଲିସକୁ ତାଙ୍କ ସ୍ୱାମୀଙ୍କୁ ବୁଝାଇବାକୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ, ପ୍ରୟାଗରାଜରେ ରହି ଖୁସବୁ ବିପିଏସସି ପାଇଁ ପ୍ରସ୍ତୁତ ହେଉଥିଲେ। ଏଥିପାଇଁ ସେ ଏକ ଅନୁଷ୍ଠାନରୁ କୋଚିଂ ନେଉଥିଲେ। କିନ୍ତୁ ଜ୍ୟୋତି ମୌର୍ଯ୍ୟ ତାଙ୍କ ସ୍ବାମୀଙ୍କୁ ଧୋକା ଦେବାର ଭିଡିଓ ଭାଇରାଲ ହେବା ମାତ୍ରେ ଖୁସବୁଙ୍କ ସ୍ୱାମୀ ପିଣ୍ଟୁ ତାଙ୍କୁ ଘରକୁ ଡାକିଥିଲେ। ଏହା ପରେ ତାଙ୍କୁ ଆଉ ପଢ଼ିବା ଦରକାର ନାହିଁ ବୋଲି କହି କୋଚିଂ ପାଇଁ ଟଙ୍କା ଦେବାକୁ ମନା କରିଦେଇଥିଲେ। ଯେଉଁଥିପାଇଁ ଖୁସବୁଙ୍କୁ ପୁଲିସ ଷ୍ଟେସନ ଆସିବାକୁ ପଡିଲା। ଖୁସବୁ ପୁଲିସକୁ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ ରାଜି କରିବା ପାଇଁ ବହୁତ ଚେଷ୍ଟା କରିଥିଲେ ବି ସେ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି କାରଣରୁ ସେ ପୁଲିସକୁ ସାହାଯ୍ୟ ମାଗିଛନ୍ତି।

ସମ୍ବନ୍ଧିତ ଖବର