୨୧୦୦ ବେଳକୁ ଭାରତର ଜନସଂଖ୍ୟା ୪୧ କୋଟି କମିଯିବ: ଜନସଂଖ୍ୟା ସାନ୍ଦ୍ରତାରେ ଘଟିବ ଦ୍ରୁତ ପତନ

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବୃହତ୍ତମ ଜନସଂଖ୍ୟା-ବିଶିଷ୍ଟ ଦେଶ ହେଉଛି ଭାରତ। ୨୦୨୩ ସୁଦ୍ଧା ଏହା ଚୀନ୍‌କୁ ଟପି ଜନସଂଖ୍ୟାରେ ଏକନମ୍ବର ଦେଶ ହେବ ବୋଲି ପୂର୍ବରୁ ଏକ ଜାତିସଂଘ ରିପୋର୍ଟରେ କୁହାଯାଇଥିଲା। ମାତ୍ର ଏବେ ଏକ ଷ୍ଟାନଫୋର୍ଡ ଅଧ୍ୟୟନ ଅନୁସାରେ ଆସନ୍ତା ୭୮ ବର୍ଷ ଭିତରେ ଅର୍ଥାତ୍ ୨୧୦୦ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ବର୍ତ୍ତମାନ ତୁଳନାରେ ୪୧ କୋଟି କମିଯିବ। ଯେତେବେଳେ ଜନସଂଖ୍ୟା ବୃଦ୍ଧି ବିଯୁକ୍ତାତ୍ମକ ହୋଇଥାଏ ସେତେବେଳେ ଜୀବନଧାରଣ ମାନରେ ସ୍ଥିରତା ଆସେ। କିନ୍ତୁ ଜନସଂଖ୍ୟା ଧୀରେ ଧୀରେ ଅଦୃଶ୍ୟ ହେବାକୁ ଲାଗେ ବୋଲି ଷ୍ଟାନଫୋର୍ଡ ଗବେଷକମାନେ କହିଛନ୍ତି। ଏହା ଏକ କ୍ଷତିକାରକ ପରିଣାମ। ଭାରତର ଜନସଂଖ୍ୟା ସାନ୍ଦ୍ରତା ଆଗାମୀ ବର୍ଷଗୁଡ଼ିକରେ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଭାରତ ଓ ଚୀନ୍‌ର ଜନସଂଖ୍ୟା ପ୍ରାୟ ସମାନ ଥିବା ପରି ଜଣାପଡ଼ୁଛି। କିନ୍ତୁ ଉଭୟର ସାନ୍ଦ୍ରତାରେ ବିରାଟ ପାର୍ଥକ୍ୟ ରହିଛି। ଭାରତର ପ୍ରତି ବର୍ଗକିମି ଅଞ୍ଚଳରେ ୪୭୬ ଜଣ ଲୋକ ବାସ କରୁଥିବା ବେଳେ ଚୀନ୍‌ରେ ପ୍ରତି ବର୍ଗକିମିରେ ୧୪୮ ଜଣ ବାସ କରୁଛନ୍ତି। ୨୧୦୦ ସୁଦ୍ଧା ଭାରତର ଜନସାଂଖ୍ୟିକ ସାନ୍ଦ୍ରତା କମି ପ୍ରତି ବର୍ଗକିମି ପିଛା ୩୩୫ରେ ପହଞ୍ଚିଥିବ। ସାରା ବିଶ୍ବର ଜନସଂଖ୍ୟା ସାନ୍ଦ୍ରତା ଯେଉଁ ହାରରେ କମିବ ବୋଲି ଆକଳନ କରାଯାଇଛି, ଭାରତର ସାନ୍ଦ୍ରତା ତା’ଠାରୁ ଢେର ଅଧିକ ହାରରେ କମିବ ବୋଲି ଗବେଷକମାନେ କହିଛନ୍ତି।

ଭାରତର ଜନସଂଖ୍ୟା ୨୦୨୨ରେ ୧୪୧.୨ କୋଟି ଥିବା ବେଳେ ୨୧୦୦ ବେଳକୁ ତାହା ୧୦୦.୩ କୋଟିକୁ ହ୍ରାସ ପାଇବ ବୋଲି ଜାତିସଂଘ ଜନସଂଖ୍ୟା ବିଭାଗର ସଦ୍ୟତମ ରିପୋର୍ଟରେ କୁହାଯାଇଛି। ଚୀନ୍ ଓ ଆମେରିକା ପ୍ରଭୃତି ଦେଶରେ ଅନୁରୂପ ଧାରା ଦେଖିବାକୁ ମିଳିବ। ୨୧୦୦ ସୁଦ୍ଧା ଚୀନ୍‌ର ଜନସଂଖ୍ୟା ଆଶାତୀତଭାବେ ୯୩.୨ କୋଟି ହ୍ରାସ ପାଇ ମାତ୍ର ୪୯.୪ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ପ୍ରଜନନ କ୍ଷମତା (ଫର୍ଟିଲିଟି) ହାରରେ ହ୍ରାସକୁ ଏଥିପାଇଁ ମୁଖ୍ୟତଃ ଦାୟୀ କରାଯାଇଛି।

ସମ୍ବନ୍ଧିତ ଖବର