ନୂଆଦିଲ୍ଲୀ: ନିର୍ବା‌ଚନ କମିସନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୦ ରାଜ୍ୟରେ ୫୪ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥି ମଧ୍ୟରୁ ମଧ୍ୟପ୍ରଦେଶରେ ୨୮, ଗୁଜରାଟରେ ୮ ଏବଂ ଉତ୍ତରପ୍ରଦେଶରେ ୭ଟି ଗୁରୁତ୍ବପୂର୍ଣ୍ଣ ଆସନରେ ଉପନିର୍ବାଚନ ହୋଇଛି। ସେହିପରି କର୍ଣ୍ଣାଟକରେ ୨, ଝାଡ଼ଖଣ୍ଡରେ ୨, ଓଡ଼ିଶାରେ ୨, ନାଗାଲାଣ୍ଡ୍‌ରେ ୨, ହରିୟାଣା ୧, ଛତିଶଗଡ଼ ୧ ଏବଂ ତେଲେଙ୍ଗାନାରେ ୧ ଆସନରେ ଉପନିର୍ବାଚନ ହୋଇଛି। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ଜନମତ ସର୍ଭେ ଅନୁଯାୟୀ ମଧ୍ୟପ୍ରଦେଶରେ ଉପନିର୍ବାଚନ ହୋଇଥିବା ୨୮ଟି ଆସନରୁ ବିଜେପିକୁ ୧୬-୧୮ଟି ଆସନ ମିଳିବ। କଂଗ୍ରେସ ଏଠାରେ ୧୦-୧୨ ଟି ଆସନରେ ବିଜୟି ହୋଇପାରେ।

Advertisment

ବିଏସ୍‌ପିକୁ ୦-୧ ଆସନ ମିଳିପା‌ରେ। ଯଦି ଏହି ଆକଳନ ସତ ହୁଏ ତେବେ ମଧ୍ୟପ୍ରଦେଶରେ ବିଜେପିର ଭୋଟ୍‌ ପ୍ରତିଶତ ୫ ପ୍ରତିଶତ ବୃଦ୍ଧି ହୋଇ ୪୬ ପ୍ରତିଶତ ହେବ ଏବଂ କଂଗ୍ରେସର ଭୋଟ୍‌ ସେୟାର ୨ ପ୍ରତିଶତ ବଢ଼ି ୪୩ ପ୍ରତିଶତ‌ରେ ପହଞ୍ଚିବ। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ବ‌ିଜେପି ୫ରୁ ୬ ଟି ଆସନରେ ଜିତିବ। ସମାଜବାଦୀ ପାର୍ଟି ଏଠାରେ ୧-୨ ଆସନ ଏବଂ ବିଏସ୍‌ପି ୦-୧ ଆସନରେ ନିର୍ବାଚନ ଜିତିପାରେ। ଗୁଜରାଟରେ ବିଜେପି ୬-୭ ଆସନରେ ନିର୍ବାଚନ ଜିତିପାରେ ଏବଂ କଂଗ୍ରେସ ୦-୧ ଆସନରେ ନିର୍ବାଚନ ଜିତିପାରେ ବୋଲି ଅନୁମାନ କରାଯାଇଛି।