୧୭ ରାଜ୍ୟର ଉପନିର୍ବାଚନ : ଏନ୍‌ଡିଏକୁ ୩୦, କଂଗ୍ରେସକୁ ୧୨ ଆସନ

ନୂଆଦିଲ୍ଲୀ: ୧୭ ରାଜ୍ୟର ୫୧ ବିଧାନସଭା ଏବଂ ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଉତ୍ତରପ୍ରଦେଶରେ ୧୧ ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା‌ ବେଳେ ଗୁଜରାଟରେ ୬, କେରଳରେ ୫, ପଂଜାବ ଏବଂ ଆସାମରେ ୪, ସିକ୍କିମ୍‌ରେ ୩, ରାଜସ୍ଥାନ , ହିମାଚଳପ୍ରଦେଶ ତାମିଲନାଡ଼ୁରେ ୨, ଅରୁଣା‌ଚଳ ପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ପୁଡ଼ୁଚେରୀ, ତେଲେଙ୍ଗାନାରେ ଗୋଟିଏ ଆସନରେ ଉପନିର୍ବାଚନ ହୋଇଥିଲା। ୫୧ ଆସନରୁ ବିଜେପି ଏବଂ ଏହାର ସହଯୋଗୀ ଦଳମାନେ ୩୦ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୧୨ଟି ଆସନ ମିଳିଛି। ଅନ୍ୟ ଆସନଗୁଡ଼ିକରେ ଆଞ୍ଚଳିକ ଦଳମାନେ ବିଜୟ ହାସଲ କରିଛନ୍ତି। ଉତ୍ତରପ୍ରଦେଶରେ ୧୧ ଆସନରୁ ବିଜେପି ୭ ଆସନରେ ବିଜୟ ହାସଲ କରିଛି।

ଅରୁଣାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ହୋଇଥିବା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ପଂଜାବରେ ଶାସକ ଦଳ କଂଗ୍ରେସ ୩ଟି ବିଧାନସଭା ଆସନରେ ନିର୍ବାଚନ ଜିତିଛି ଏବଂ ଏନ୍‌ଡିଏ ସହଯୋଗୀ ଶିରୋମଣି ଅକାଳୀ ଦଳ ଗୋଟିଏ ଆସନରେ ଜିତିଛି। ବିହାରରେ ୫ ଆସନରୁ ବିଜେପି -ଜେଡିୟୁ ମେଣ୍ଟ ୩ ଆସନରେ ପରାଜିତ ହୋଇଥିବା ବେଳେ ରାମ ବିଳାସ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି ସମସ୍ତିପୁର ଲୋକସଭା ଆସନ‌ କାଏମ ରଖିବାରେ ସକ୍ଷମ ହୋଇଛି। କିଶନଗଂଜରେ ଅସଦଉଦ୍ଦିନ୍‌ ଅୱେସିଙ୍କ ଏଆଇଏମ୍‌ଆଇଏମ୍‌ ଖାତା ଖୋଲିବାରେ ସକ୍ଷମ ହୋଇଛି। କେରଳରେ ଶାସକ ଏଲ୍‌ଡିଏଫ୍‌ ୩ ଆସନରେ ନିର୍ବାଚନ ଜିତିଥିବା ବେଳେ ବିରୋଧୀ ୟୁଡିଏଫ୍‌ ମାତ୍ର ଗୋଟିଏ ଆସନରେ ଜିତିଛି। ପୁଡ଼ୁଚେରୀରେ କାମରାଜ ନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଏ ଜନକୁମାର ନିର୍ବାଚନ ଜିତିଛନ୍ତି। ରାଜସ୍ଥାନର ୨ ବିଧାନସଭା ଆସନରୁ ଶାସକ କଂଗ୍ରେସ ମଣ୍ଡୱା ଆସନରେ ନିର୍ବାଚନ ଜିତିଥିବାବେଳେ ଆରଏଲ୍‌ପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି) ଖିନ୍‌ୱର ନିର୍ବାଚନମଣ୍ଡଳୀ ପୁନର୍ବାର ଅକ୍ତିଆର କରିଛି। ମହାରାଷ୍ଟ୍ରର ସତାରା ଲୋକସଭା ଆସନରେ ଏନ୍‌ସିପି ପ୍ରାର୍ଥୀ ଶ୍ରୀନିବାସ ପାଟିଲ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର