କର୍ଣ୍ଣାଟକ : ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ୧୫ଟି ଆସନର ଫଳାଫଳ

ବାଙ୍ଗାଲୁରୁ : ଆଜି ଭାରତର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଓ ହରିୟାନା ବିଧାନସଭା ନିର୍ବାଚନ ଓ ୬୩ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଅକ୍ଟୋବର ୨୧ରେ ଗୋଟିଏ ପର୍ଯ୍ୟାୟରେ ଏସବୁ ନିର୍ବାଚନ ହେବ । ଏହି ୬୩ଟି ବିଧାନସଭା ଆସନ ମଧ୍ୟରୁ କର୍ଣ୍ଣାଟକର ୧୫ ଟି ଆସନ ଅନ୍ୟତମ । ଏସବୁ ଆସନର ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ-ଜେଡିଏସର ବିଧାୟକମାନେ ଅଯୋଗ୍ୟ ଘୋଷିତ ହେବା ପରେ ଏସବୁ ଆସନ ଖାଲି ରହିଛି । ଏବେ କର୍ଣ୍ଣାଟକରେ ମୋଟ ୧୭ ଟି ଆସନ ଖାଲିରହିଥିବାବେଳେ ୧୫ଟି ପାଇଁ ଉପ-ନିର୍ବାଚନ ହେବ । ଆଉ ୨ଟି ଆସନ ମାସକି ଓ ଆରଆର ନଗର ଆଇନଗତ ମାମଲା ଯୋଗୁଁ ଉପନିର୍ବାଚନ ପରେ କରାଯିବ ।

ଏହି ୧୫ଟି ଆସନର ଫଳାଫଳ ଉପରେ ହିଁ ୟେଦ୍ୟୁରାପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରିବ । ଏବେ ବିଧାନସଭାରେ ୨୦୮ ସଦସ୍ୟ ରହିଛନ୍ତି ଓ ବିଜେପିର ୧୦୫ ଓ ୨ ଜଣ ସ୍ୱାଧୀନ ବିଧାୟକଙ୍କ ସମେତ ମୋଟ ୧୦୭ ସଦସ୍ୟଙ୍କ ସମର୍ଥନ ୟେଦ୍ୟୁରପ୍ପାଙ୍କ ପ୍ରତି ରହିଛି । କିନ୍ତୁ ଏହି ୧୫ଟି ଆସନର ଫଳାଫଳ ଆସିବା ପରେ କର୍ଣ୍ଣାଟକ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୨୩କୁ ବୃଦ୍ଧି ପାଇବ ଓ ସରକାର ବଜାୟ ରଖିବାକୁ ବିଜେପିକୁ ୧୧୨ଟି ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ । ଏଣୁ ବିଧାନସଭାରେ ବିଜେପିକୁ ୭ଟି ଆସନ ଜିତିବାକୁ ହେବ ।

ସମ୍ବନ୍ଧିତ ଖବର