ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସହ ୧୩ ରାଜ୍ୟର ଉପନିର୍ବାଚନ ଫଳ ମଧ୍ୟ ଆଜି ଆସିଛି।  ମୋଟ୍‌ ୪୬ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ମହାରାଷ୍ଟ୍ରର ନାନ୍ଦେଡ଼ ଏବଂ କେରଳରେ ୨ଟି ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ହୋଇଥିଲା।  ନାନ୍ଦେଡ଼ ଆସନରେ ବିଜେପି ପ୍ରାର୍ଥୀ ସନ୍ତୁକରାଓ ହମ୍ବାର୍ଡେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଚୌହାନଙ୍କୁ ୪୦ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ କରିଛନ୍ତି। ଅନ୍ୟପକ୍ଷରେ ୱାୟନାଡ଼ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ୪ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।  ଉତ୍ତରପ୍ରଦେଶର ୯ ବିଧାନସଭା ଆସନ, ରାଜସ୍ଥାନରେ ୭, ପଶ୍ଚିମବଙ୍ଗରେ ୬, ଆସାମରେ ୫, ପଂଜାବ ଏବଂ ବିହାରରେ ୪ ଲେଖାଏଁ ଆସନ,  କର୍ଣ୍ଣାଟକରେ ୩ ଆସନ, ମଧ୍ୟପ୍ର‌ଦେଶ ଏବଂ କେରଳରେ ୨ ଲେଖାଏଁ ଆସନ , ଛତିଶଗଡ଼, ଗୁଜରାଟ, ଉତ୍ତରାଖଣ୍ଡ ଏବଂ ମେଘାଳୟରେ ଗୋଟିଏ ଲେଖାଏଁ ବିଧାନସଭା ଆସନରେ ‌ଭୋଟ୍‌ ଗ୍ରହଣ ହୋଇଥିଲା।  

Advertisment

କର୍ଣ୍ଣାଟକରେ ସମସ୍ତ ୩ ଆସନ ଜିତିଲା କଂଗ୍ରେସ
ପଶ୍ଚିମବଙ୍ଗରେ ୬ ଆସନ ପୋଛିନେଲା ଟିଏମ୍‌ସି

ବିହାରରେ ଶାସକ ଏନ୍‌ଡିଏ ସମସ୍ତ ୪ ଆସନରେ ଜିତିଛି।  ଏନଡିଏ ମେଣ୍ଟ ଇମାମଗଞ୍ଜ ଆସନରେ ପୁନର୍ବାର ଜିତିଥିବାବେଳେ ତରାରୀ, ରାମଗଡ଼ ଏବଂ ବେଲଗଞ୍ଜ ଆସନକୁ ଇଣ୍ଡି ମେଣ୍ଟଠାରୁ ଛଡ଼ାଇ ଆଣିଛି। ବିହାରର ବେଲଗଞ୍ଜ ଆସନରେ ଇଣ୍ଡି ମେଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ବିଶେଷ କରି ଆରଜେଡି ପାଇଁ ଏହା ଏକ ଐତିହାସିକ ଝଟ୍‌କା।  ୧୯୯୦ ଦଶକରେ ଆରଜେଡି ଦଳର ସ୍ଥାପନା ପରଠାରୁ ଏହା ବେଲଗଞ୍ଜରେ ଜିତି ଆସୁଥିଲା। କିନ୍ତୁ ଉପନିର୍ବାଚନରେ ଦଳକୁ ଏହି ଆସନ ହରାଇବାକୁ ପଡ଼ିଛି। ଜେଡିୟୁର ମନୋରମା ଦେବୀ ଆରଜେଡିର ବିଶ୍ବନାଥ କୁମାର ସିଂହଙ୍କୁ ୨୧ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି।  

ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ବିଜେପି ୬ଟି ଆସନରେ ନିର୍ବାଚନ ଜିତିଛି। କୁନ୍ଦରକୀ, ଖୈର, ଗାଜିଆବାଦ, ଫୁଲପୁର, କଟିହାରି, ମଝୱାନ ନିର୍ବାଚନମଣ୍ଡଳୀରେ ବିଜେପି ଜିତିଥିବାବେଳେ ଏହାର ମେଣ୍ଟ ସହଯୋଗୀ ଆରଏଲଡି ମୀରାପୁରରେ ଜିତିଛି।  ପଶ୍ଚିମବଙ୍ଗରେ ଟିଏମ୍‌ସି ସମସ୍ତ ୬ ଆସନ  ପୋଛି ନେଇଛି।  ଛତିଶଗଡ଼ରେ ବିଜେପିର ସୁନୀଲ ସୋନି ରାୟପୁର ଦକ୍ଷିଣରୁ ନିର୍ବାଚନ ଜିତିଛନ୍ତି।  ରାଜସ୍ଥାନରେ ବିଜେପି ୭ ବିଧାନସଭା ଆସନରୁ ୫ଟିରେ ଜିତିଛି।  ମଧ୍ୟପ୍ରଦେଶ ମନ୍ତ୍ରୀ ରାମନିବାସ ରାୱତ ବିଜୟପୁରରେ ହାରି ଯାଇଛନ୍ତି। କଂଗ୍ରେସ ଏହି ଆସନରେ ଜିତିଛି।  ସେହିପରି ଉତ୍ତରାଖଣ୍ଡର କେଦାରନାଥ‌ରେ ମଧ୍ୟ ବିଜେପି ଜିତିଛି।  କର୍ଣ୍ଣାଟକରେ ସମସ୍ତ ୩ ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ବାଜିମାତ୍‌ ହୋଇଛି।  ପଂଜାବରେ ୪ ବିଧାନସଭା ଆସନରୁ ଆପ୍‌ ୩ଟି‌ରେ ଏବଂ  କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି।