୪ ରାଜ୍ୟରେ ଉପନିର୍ବାଚନ: ଶତ୍ରୁଘ୍ନ ସିହ୍ନା ୩ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟୀ

ବିହାରରେ ଆର୍‌ଜେଡି, ୪ ବିଧାନସଭା ଆସନରୁ କଂଗ୍ରେସ ୨ଟିରେ ବିଜୟୀ

ନୂଆଦିଲ୍ଲୀ: ଉପନିର୍ବାଚନ ଫଳ ଆଜି ପ୍ରକାଶ ପାଇଛି। ଗତ ଏପ୍ରିଲ ୧୨ ତାରିଖରେ ୪ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା। ଆଜି ନିର୍ବାଚନ ଫଳ ଆସିବା ସହ କଂଗ୍ରେସ ପାଇଁ ଖୁସିର ମାହୋଲ୍‌ ସୃଷ୍ଟି ହୋଇଛି। ଉକ୍ତ ୪ ବିଧାନସଭା ଆସନରୁ କଂଗ୍ରେସ ୨ଟିରେ ବିଜୟୀ ହୋଇଛି। କଂଗ୍ରେସ ଛତିଶଗଡ଼ ଏବଂ ମହାରାଷ୍ଟ୍ର ବିଧାନସଭା ଆସନରୁ ଜିତିଥିବା ବେଳେ ବିହାରରେ ଆର୍‌ଜେଡି ଏବଂ ପଶ୍ଚିମବଙ୍ଗରେ ଗୋଟିଏ ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରୁ ଟିଏମ୍‌ସି ଜିତିଛି। ଅନ୍ୟପକ୍ଷେ ବିଜେପି ଆସନସୋଲ୍‌ ଲୋକସଭା ଆସନରେ ହୋଇଥିବା ଲଢ଼େଇରେ ହାରି ଯାଇଛି। ଆସନସୋଲ୍‌ ଆସନରେ ଟିଏମ୍‌ସି ଜିତିଛି। ବାବୁଲ ସୁପ୍ରିୟୋ ଜଣେ ସାଂସଦ ଭାବେ ଆସନସୋଲ୍‌ରୁ ଇସ୍ତଫା ଦେଇ ବି‌ଜେପିରୁ ଟିଏମ୍‌ସିରେ ଯୋଗ ଦେବାପରେ ଏହି ଆସନ ଖାଲି ପଡ଼ିଥିଲା। ଏହି ଆସନ ପାଇଁ ଟିଏମ୍‌ସି ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲା।

ସିହ୍ନା ବିଜେପିର ଅଗ୍ନିମିତ୍ର ପଲ୍‌ଙ୍କଠାରୁ ୩ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନ‌ରେ ଜିତିଛନ୍ତି। ବାବୁଲ ସୁପ୍ରିୟୋ ମଧ୍ୟ ପ୍ରଥମ ଥର ପାଇଁ ଟିଏମ୍‌ସି ଟିକେଟରେ ଦକ୍ଷିଣ କୋଲକାତାର ବାଲିଗଂଜ ବିଧାନସଭା ଆସନରୁ ଜିତିଛନ୍ତି। ବିହାରର ବୋଚାହାଁ ବିଧାନସଭା ଆସନରେ ଆର୍‌ଜେଡିର ଅମର ପାଶ୍ବାନ୍‌ ବିଜେପି ପ୍ରାର୍ଥୀଙ୍କୁ ୩୫ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ହରାଇଛନ୍ତି। କଂଗ୍ରେସ ଛତିଶଗଡ଼ର ଖୈରାଗଡ଼ ବିଧାନସଭା ଆସନ ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନସଭା ଆସନରେ ବିଜୟୀ ହୋଇଛି। ଖୈରାଗଡ଼ରେ ଯଶୋଦା ବର୍ମା ୨୦ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। କୋହ୍ଲାପୁର ଉତ୍ତରରେ କଂଗ୍ରେସ ବିଧାୟକ ଚନ୍ଦ୍ରକାନ୍ତ ଯାଦବଙ୍କ ମୃତ୍ୟୁ ହେବାପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ଏହି ଆସନରେ ଚନ୍ଦ୍ରକାନ୍ତଙ୍କ ପତ୍ନୀ ଜୟଶ୍ରୀ ଯାଦବଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା।

ସମ୍ବନ୍ଧିତ ଖବର