ନୂଆଦିଲ୍ଲୀ: ଭାରତର ସାବାଳକଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତଙ୍କୁ ଆସନ୍ତା ନଭେମ୍ବର ସୁଦ୍ଧା ଟିକା ମିଳିଯିବ। ମୁଖ୍ୟତଃ ଭାରତରେ ଉତ୍ପାଦନ ହୋଇଥିବା ଟିକା ମାଧ୍ୟମରେ ଏହି କାର୍ଯ୍ୟ ସଂପାଦନ ହେବ। ୨୦୨୨ ଜାନୁଆରି ସୁଦ୍ଧା ଆଉ ୨୦ ପ୍ରତିଶତ ସାବାଳକ ଅର୍ଥାତ୍ ମୋଟ ୬୦ ପ୍ରତିଶତଙ୍କୁ ଟିକା ମିଳିଯିବ। ତେବେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆର୍ଥାତ୍ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶର ୮୦ ପ୍ରତିଶତ ସାବାଳକଙ୍କୁ ଟିକା ମିଳିଯିବ ବୋଲି ୟେସ୍ ସିକ୍ୟୁରିଟିଜ୍ ନାମକ ସଂସ୍ଥା ପକ୍ଷରୁ ଆକଳନ କରାଯାଇଛି।
ତେବେ ସଂସ୍ଥା ପକ୍ଷରୁ ଭାରତର ଟିକାକରଣ ସମସ୍ୟା ସଂପର୍କରେ ମଧ୍ୟ ସତର୍କ କରାଇ ଦିଆଯାଇଛି। ଟିକା ପ୍ରସ୍ତୁତି ପାଇଁ କଞ୍ଚାମାଲ ଅଭାବ କାରଣରୁ ଦେଶରେ ଟିକା ତିଆରି ବ୍ୟାହତ ହୋଇପାରେ। ଏଥିଯୋଗୁ ଆସନ୍ତାମାସରେ ଟିକାକରଣ ପ୍ରଭାବିତ ହୋଇପାରେ। ଯଦି ଏହି ସମସ୍ୟା ଗୁରୁତର ହୁଏ ତାହେଲେ ସାଢ଼େ ସାତ କୋଟି ଲୋକଙ୍କ ଦ୍ବିତୀୟ ଡୋଜ୍ ଟିକା ନେବାରେ ଅସୁବିଧା ଦେଖାଦେଇପାରେ। ଏହି ଅସୁବିଧାକୁ ଟାଳିବା ପାଇଁ ପ୍ରଥମ ଡୋଜ୍ ଟିକାକରଣକୁ ବନ୍ଦ ମଧ୍ୟ କରିବାକୁ ପଡ଼ିପାରେ। ଏହା ହେଲେ ଭବିଷ୍ୟତର ଟିକାକରଣ ହାର ଲକ୍ଷ୍ୟଚ୍ୟୁତ ହେବା ଆଶଙ୍କା ରହିଛି ବୋଲି ଏହି ସଂସ୍ଥା କହିଛି।
ଏହା ମଧ୍ୟ କୁହାଯାଉଛି ଯେ, ଜୁନ୍ରୁ ଦେଶରେ ଟିକା ଉତ୍ପାଦନ ବଢ଼ିବା ଉଚିତ। କାରଣ ଟିକା ନିର୍ମାତାମାନେ ସେମାନଙ୍କ ଉତ୍ପାଦନ କ୍ଷମତାକୁ ବଢ଼ାଉଛନ୍ତି। ଏଥିସହିତ ଆମେରିକାରେ ସଂଖ୍ୟାଧିକ ଲୋକଙ୍କୁ ଟିକା ଦିଆଯିବା ପରେ ସେହି ଦେଶ ଟିକା ଏବଂ କଞ୍ଚାମାଲ ଉପରେ ରପ୍ତାନି କଟକଣାକୁ ଆସନ୍ତା ଦେଢ଼ ମାସ ମଧ୍ୟରେ କୋହଳ କରିଦେଇପାରେ। ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୦୦ କୋଟି ସାବାଳକ। ତେଣୁ ଆମେରିକାର ଟିକା ନିର୍ମାତାଙ୍କ ପାଇଁ ଭାରତ ଏକ ବଡ଼ ବଜାର ପାଲଟିବ। ତେଣୁ ଆମେରିକାର ମୋଟ ଟିକା ରପ୍ତାନିର ୨୦ରୁ ୨୫ ପ୍ରତିଶତ ଟିକା ଭାରତକୁ ରପ୍ତାନି ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/fhs4fh4sf56h45s6h456sfhsffffffffffffffffffffffffffffffff.jpg)