ନିର୍ବାଚନ ବେଳକୁ ଦିଦି ଏକୁଟିଆ ହୋଇ ଯାଇଥିବେ: ଶାହ

ଶୁଭେନ୍ଦୁ ଅଧିକାରୀଙ୍କ ସହ ୧୦ ବିଧାୟକ ଓ ଜଣେ ଏମ୍‌ପି ବିଜେପିରେ ମି‌ଶିଲେ

କୋଲକାତା: ଦୁଇ ଦିନିଆ ପଶ୍ଟିମବଙ୍ଗ ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ ମେଦିନପୁର ଠାରେ ଆୟୋଜିତ ନିର୍ବାଚନୀ ପ୍ରାକ୍‌ ପ୍ରସ୍ତୁତି ସମାବେଶରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତୃଣମୂଳ କଂଗ୍ରେସର ବିଭିନ୍ନ ବରିଷ୍ଠ ନେତା ଦଳ ଛାଡ଼ି ବିଜେପିରେ ଯୋଗଦେଉଥିବା ପରିପ୍ରେକ୍ଷୀରେ ନିର୍ବାଚନ ବେଳକୁ ଦିଦି ଦଳରେ ଏକୁଟିଆ ହୋଇଯାଇଥିବେ ବୋଲି ଶ୍ରୀ ଶାହ କଟାକ୍ଷ କରିଛନ୍ତି। ଅପରପକ୍ଷେ, ଦୀର୍ଘ ସପ୍ତାହ ଧରି ପ୍ରତୀକ୍ଷାର ଅବସାନ ଘଟାଇ ଆଜି ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୧୦ ବିଧାୟକ, ଜଣେ ସାଂସଦ, ଜଣେ ପ୍ରାକ୍ତନ ସାଂସଦ, ଜଣେ ପ୍ରାକ୍ତନ ମନ୍ତ୍ରୀ ଶାହଙ୍କ ଦଳୀୟ ସମାବେଶରେ ଯୋଗଦେବା ସହ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପିରେ ମିଶିଥିବା ୧୦ ବିଧାୟକଙ୍କ ମଧ୍ୟରେ ୬ ଜଣ ତୃଣମୂଳର ହୋଇଥିବାବେଳେ ୨ ଜଣ ସିପିଏମର, ଜଣେ କଂଗ୍ରେସର ଏବଂ ଜଣେ ସିପିଆଇର। ବିଜେପିରେ ସାମିଲ ନେତାଙ୍କ ମଧ୍ୟରେ ଅଛନ୍ତି ପୂର୍ବ ବର୍ଦ୍ଧମାନ ସାଂସଦ ସୁନୀଲ ମଣ୍ଡଳ, ଆଲିପୁରଦ୍ବାରର ପ୍ରାକ୍ତନ ସାଂସଦ ଦଶରଥ ତିର୍କୀ, ପ୍ରାକ୍ତନ ମନ୍ତ୍ରୀ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ହଳଦିଆ ବିଧାୟକ ତାପସୀ ମଣ୍ଡଳ, ତାମଲୁକ ବିଧାୟକ ଅଶୋକ ଦିଣ୍ଡା, ପୁରୁଲିଆ ବିଧାୟକ ସୁଦୀପ ମୁଖାର୍ଜୀ, ବର୍ଦ୍ଧମାନ ବିଧାୟକ ସୈକତ ପାଞ୍ଜା, ବାରାକପୁର ବିଧାୟକ ଶିଲଭଦ୍ର ଦତ୍ତ, ଗାଜୋଲ ବିଧାୟକ ଦୀପାଳି ବିଶ୍ବାସ, ନଗରକଟା ବିଧାୟକ ଶୁକ୍ର ମୁଣ୍ଡା, କଲନା ବିଧାୟକ ବିଶ୍ବଜିତ କୁଣ୍ଡୁ ଓ ଉତ୍ତର କଣ୍ଠି ବିଧାୟକ ବନଶ୍ରୀ ମାଇତି। ପଶ୍ଟିମ ମେଦିନାପୁରରେ ବିଜେପିର ଦଳୀୟ ସମାବେଶରେ ବିଦ୍ରୋହୀ ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟମାନେ ବିଜେପିରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷ, ବରିଷ୍ଠ ନେତା ମୁକୁଲ ରାୟ ଓ କୈଳାସ ବିଜୟବର୍ଗୀୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର