ବିଦାୟ ‘ଦ୍ରାବିଡ଼ ଯୋଦ୍ଧା’: ପଟକଥା ଲେଖକରୁ ୫ ଥର ମୁଖ୍ୟମନ୍ତ୍ରୀ

କଳା ଚଷମାର ରହସ୍ୟ

ଚେନ୍ନାଇ: ତାମିଲନାଡ଼ୁ ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଏମ୍‌. କରୁଣାନିଧିଙ୍କ ପରଲୋକ ସହିତ ତାମିଲ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଭାରତୀୟ ରାଜନୀତିରେ ମଧ୍ୟ କରୁଣାନିଧି ଏକ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ନିଜ ସମର୍ଥକଙ୍କ ପାଇଁ ସେ ସର୍ବଦା ପ୍ରେରଣାର ଉତ୍ସ ରହିଥିଲେ। ତାଙ୍କର ଗୋଟିଏ ଆହ୍ଵାନରେ ତାମିଲନାଡ଼ୁ ରାଜନୀତିରେ କମ୍ପନ ସୃଷ୍ଟି ହେଉଥିଲା। ଦଳର ସେ ଥିଲେ ସୁପ୍ରିମୋ। ତାମିଲନାଡ଼ୁର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କରୁଣାନିଧିଙ୍କ ରାଜନୈତିକ ଜୀବନ ବହୁ ଉତ୍‌ଥାନ ପତନ ଦେଇ ଗତି କରିଥିଲା। ସେ ରାଜ୍ୟ ବିଧାନସଭାକୁ ୧୨ଥର ନିର୍ବାଚିତ ହୋଇଥିଲେ। ଜଣେ ରାଜନେତା ହେବା ସହିତ କରୁଣାନିଧି ତାମିଲ ସିନେମା ଜଗତର ଜଣେ ପ୍ରସିଦ୍ଧ ପଟକଥା ଲେଖକ ଏବଂ ନାଟ୍ୟକାର ଭାବେ ବିପୁଳ ସୁଖ୍ୟାତି ହାସଲ କରିଛନ୍ତି। ପ୍ରଥମ ଥର ପାଇଁ କରୁଣାନିଧି ୧୯୬୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ବର୍ଷ ଡିଏମ୍‌୍‌କେର ସଂସ୍ଥାପକ ସିଏନ୍‌ ଆନ୍ନାଦୁରାଇଙ୍କ ମୃତ୍ୟୁ ପରେ କରୁଣାନିଧିଙ୍କ ହାତକୁ ଦଳର ନିୟନ୍ତ୍ରଣ କ୍ଷମତା ଆସିଥିଲା। କରୁଣାନିଧି ତିରୁଚିରାପଲ୍ଲୀ ଜିଲ୍ଲାର କୁଲିଲାଲାଇ ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ପାଇଁ ୧୯୫୭ରେ ନିର୍ବାଚିତ ହୋଇଥିଲେ। ୧୯୭୨ରେ ଡିଏମ୍‌କେକୁ ଏକ ଶକ୍ତ ଧକ୍କା ଲାଗିଥିଲା। ଦଳରେ କରୁଣାନିଧିଙ୍କ କାର୍ଯ୍ୟଶୈଳୀକୁ ଏମ୍‌ଜିଆର୍‌ (ଏମ୍‌ ଜି ରାମଚନ୍ଦ୍ରନ୍‌) ପସନ୍ଦ କରୁ ନଥିବାରୁ ସେ ଡିଏମ୍‌କେରୁ ବାହାରି ଏଆଇଏଡିଏମ୍‌କେ ଦଳ ଗଢ଼ିଥିଲେ। କିନ୍ତୁ କରୁଣାନିଧି ଭାଙ୍ଗି ପଡ଼ିନଥିଲେ ଏବଂ ଦଳକୁ ଦୃଢ଼ ଭାବେ ସମ୍ଭାଳି ଥିଲେ।
ହିନ୍ଦୀ ବିରୋଧୀ ରାଜନୀତି
ଦକ୍ଷିଣ ଭାରତରେ ହିନ୍ଦୀକୁ ବିରୋଧ କରି କରୁଣାନିଧି ହିନ୍ଦୀ ହଟାଓ ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍କୁଲରେ ହିନ୍ଦୀ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବା ପରେ ଏହାକୁ କରୁଣାନିଧି ବିରୋଧ କରିଥିଲେ। ଏହାପରେ ସେ ତାମିଲ ଭାଷାକୁ ଅସ୍ତ୍ର କରି ତାମିଲରେ ଅନେକ ନାଟକ ଏବଂ ପଟକଥା ଲେଖିଥିଲେ। ପରବର୍ତ୍ତୀ ସମୟରେ ପେରିୟାର ଏବଂ ଆନ୍ନାଦୁରାଇଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ତୀବ୍ର କନ୍ଦଳରେ ପରିଣତ ହୋଇଥିଲା ଏବଂ କରୁଣାନିଧି ଆନ୍ନାଦୁରାଇଙ୍କ ଶିବିର ପ୍ରତି ଢଳିଥିଲେ।
ପାରିବାରିକ ଜୀବନ
କରୁଣାନିଧି ୩ ଥର ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀ ପଦ୍ମାବତୀ, ଦ୍ୱିତୀୟ ପତ୍ନୀ ଦୟାଲୁ ଅମ୍ମାଲ ଏବଂ ତୃତୀୟ ପତ୍ନୀ ହେଉଛନ୍ତି ରଜତି ଅମ୍ମାଲ। ପ୍ରଥମ ପତ୍ନୀଙ୍କ ପରଲୋକ ଘଟିଛି । କରୁଣାନିଧିଙ୍କ ୪ ପୁଅ ଓ ୨ ଝିଅ ଅଛନ୍ତି। ଏମ୍‌୍‌କେ ମୁଥୁ ହେଉଛନ୍ତି ପ୍ରଥମ ପତ୍ନୀ ପଦ୍ମାବତୀଙ୍କ ପୁଅ। ଅଲାଗିରି, ଏମ୍‌୍‌ କେ ଷ୍ଟାଲିନ୍‌, ଏମ୍‌୍‌କେ ତାମିଲାରାସୁ ଏବଂ ଝିଅ ସେଲ୍‌ଭି ହେଉଛନ୍ତି ଦ୍ୱିତୀୟ ପତ୍ନୀ ଦୟାଲୁଙ୍କ ସନ୍ତାନ। କରୁଣାନିଧିଙ୍କ ତୃତୀୟ ପତ୍ନୀ ରଜତିଙ୍କ ଝିଅ ହେଉଛନ୍ତି କାନ୍ନିମୋଝି।
ବହୁ ବିବାଦର ନାୟକ
କରୁଣାନିଧି ତାଙ୍କର ରାଜନୈତିକ ଜୀବନରେ ଅନେକ ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ଦୁର୍ନୀତି ପାଇଁ କରୁଣାନିଧିଙ୍କୁ ସରକାରିଆ କମିସନ ଦାୟୀ କରିଥିଲେ। ଦୁର୍ନୀତି ଓ ଷଡ଼ଯନ୍ତ୍ର ମାମଲା ପାଇଁ ଇନ୍ଦିରା ଗାନ୍ଧୀ କରୁଣାନିଧିଙ୍କ ସରକାରକୁ ବରଖାସ୍ତ କରିଥିଲେ। ୨୦୦୧ରେ କରୁଣାନିଧିଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା।
ଏଲ୍‌ଟିଟିଇ ସହିତ ସଂପୃକ୍ତି
ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାର ତଦନ୍ତ କରୁଥିବା ଜଷ୍ଟିସ ଜୈନ କମିସନ ଶ୍ରୀଲଙ୍କାର ବିଦ୍ରୋହୀ ଉଗ୍ରବାଦୀ ସଂଗଠନ ଏଲଟିଟିଇକୁ ପ୍ରୋତ୍ସାହନ ଦେଉଥିବାରୁ କରୁଣାନିଧିଙ୍କୁ ଦୋଷାରୋପ କରିଥିଲେ। ଏଲଟିଟିଇ ନେତା ପ୍ରଭାକରନଙ୍କୁ କରୁଣାନିଧି ନିଜର ଭଲ ବନ୍ଧୁ କହି ବଡ଼ ବିବାଦ ସୃଷ୍ଟି କରିଥିଲେ। ଏହାକୁ ନେଇ ତାଙ୍କୁ ଦେଶବ୍ୟାପୀ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଏମ୍ କରୁଣାନିଧି : ୧୯୨୪-୨୦୧୮
୧୯୨୪, ଜୁନ୍‌ ୩: ତାମିଲନାଡୁର ନାଗପଟ୍ଟିନନମ୍‌ ଜିଲ୍ଲା ଅନ୍ତର୍ଗତ ଥିରୁକୁଭଲାଇସ୍ଥିତ ଏକ ଗ୍ରାମୀଣ ପରିବାରରେ ଜନ୍ମଗ୍ରହଣ କରିଥିଲେ
୧୯୩୮: ଜଷ୍ଟିସ୍‌ ପାର୍ଟିରେ ଯୋଗଦାନ ଏବଂ ପରେ ଦ୍ରାବିଡ଼ କାଝଗାମ୍‌ରେ ସାମିଲ ହୁଅନ୍ତି। ଏହି ସମୟରେ ହିନ୍ଦୀ ବିରୋଧୀ ଆନ୍ଦୋଳନରେ ଅଂଶଗ୍ରହଣ କରନ୍ତି
୧୯୪୪: ପଟକଥା ଲେଖକ ଭାବେ ଜୁପିଟର୍ସ ପିକ୍ଚର୍ସରେ ଯୋଗଦାନ
୧୯୪୭: ତାଙ୍କ ଲିଖିତ ପ୍ରଥମ ଚଳଚ୍ଚିତ୍ର ‘ରାଜକୁମାରୀ’ର ମୁକ୍ତିଲାଭ
୧୯୪୯: ଦ୍ରାବିଦାର କାଝଗାମ୍‌ ଠାରୁ ଦୂରେଇ ଡିଏମ୍‌କେ ପ୍ରତିଷ୍ଠା ଲାଗି ଉଦ୍ୟମ କରିଥିବା ଆନ୍ନାଦୁରାଇଙ୍କ ସହ ସାମିଲ
୧୯୫୭: କୁଲିଥଲାଇରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ
୧୯୬୧: ଡିଏମ୍‌କେ କୋଷାଧ୍ୟକ୍ଷ ନିଯୁକ୍ତ
୧୯୬୨: ବିଧାନସଭାରେ ବିରୋଧୀ ଦଳ ଉପମୁଖ୍ୟ
୧୯୬୭: ଡିଏମ୍‌କେ ପ୍ରଥମ କରି ଶାସନ କ୍ଷମତା ହାତେଇବା ପରେ ସି ଏନ୍‌ ଆନ୍ନାଦୁରାଇଙ୍କ କ୍ୟାବିନେଟ୍‌ରେ ପୂର୍ତ୍ତ ମନ୍ତ୍ରୀ ହେଲେ
୧୯୬୯: ଆନ୍ନାଦୁରାଇଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ
୧୯୭୬: ଦୁର୍ନୀତି ଅଭିଯୋଗରେ ଇନ୍ଦିରା ଗାନ୍ଧୀ ଡିଏମ୍‌କେ ସରକାରକୁ ବରଖାସ୍ତ କଲେ
୧୯୭୭: ଏଆଇଏଡିଏମ୍‌କେ କ୍ଷମତାକୁ ଆସିଲା ଏବଂ କରୁଣାନିଧି ୧୩ ବର୍ଷ ପାଇଁ ବିରୋଧୀ ଦଳ ଆସନ ସମ୍ଭାଳିଲେ
୧୯୮୯: ଏମ୍‌ ଜି ରାମଚନ୍ଦ୍ରନ୍‌ଙ୍କ ମୃତ୍ୟୁ ପରେ କରୁଣାନିଧି ଓ ଡିଏମ୍‌କେ ପୁଣି କ୍ଷମତାକୁ ଫେରିଲେ
୧୯୯୧ ଜାନୁଆରି: ଏଲ୍‌ଟିଟିଇ ସହିତ ସମ୍ପର୍କ ପାଇଁ କେନ୍ଦ୍ର ସରକାର ଡିଏମ୍‌କେ ସରକାରକୁ ବରଖାସ୍ତ କଲେ
୧୯୯୧ ମେ: ରାଜୀବ ଗାନ୍ଧୀଙ୍କ ହତ୍ୟା; ଏଆଇଏଡିଏମ୍‌କେ-କଂଗ୍ରେସ ମେଣ୍ଟ ନିର୍ବାଚନ ଜିତିଲେ
୧୯୯୬: ଜୟଲଳିତାଙ୍କୁ ଗାଦିଚ୍ୟୁତ କରି କ୍ଷମତାକୁ ଫେରିଲେ କରୁଣାନିଧି
୨୦୦୧: ଜୟଲଳିତାଙ୍କ ନେତୃତ୍ୱାଧୀନ ଏଆଇଏଡିଏମ୍‌କେ ସରକାର କରୁଣାନିଧିଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କଲେ
୨୦୦୪: ଡିଏମ୍‌କେ ନେତୃତ୍ୱାଧୀନ ମେଣ୍ଟ ଲୋକସଭାରେ ୪୦ ଆସନ ପାଇଲା ଏବଂ ୭ ଜଣ କେନ୍ଦ୍ରମନ୍ତ୍ରୀ ହେଲେ
୨୦୦୬: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ କରୁଣାନିଧି
୨୦୦୯: ସ୍ପାଇନାଲ୍‌ ସର୍ଜରି ହେଲା, ତା’ପରଠାରୁ ହ୍ଵିଲ୍‌ ଚେୟାରରେ ବସିରହିଲେ
୨୦୧୧: ଝିଅ କାନିମୋଝି ୨ଜି ସ୍ପେକ୍ଟ୍ରମ୍‌ ସ୍କାମ୍‌ରେ ଗିରଫ
୨୦୧୩ ଜାନୁଆରି: ଷ୍ଟାଲିନ୍‌ ଉତ୍ତରାଧିକାରୀ ଘୋଷିତ
୨୦୧୩ ମାର୍ଚ୍ଚ: ଉପା ମେଣ୍ଟ ଛାଡ଼ିଲେ
୨୦୧୪: ପ୍ରବଳ ପ୍ରତିବାଦ ଯୋଗୁ ବଡ଼ପୁଅ ଆଲାଗିରିଙ୍କୁ ଦଳରୁ ବହିଷ୍କାର କଲେ
୨୦୧୬: ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ କିଛିଦିନ ପରେ ମୁକ୍ତ ହେଲେ
୨୦୧୭ ଜାନୁଆରି: ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଯୋଗୁ ଷ୍ଟାଲିନ୍‌ ହେଲେ ଡିଏମ୍‌କେର କାର୍ଯ୍ୟକାରୀ ସଭାପତି
୨୦୧୭ ମେ: ବିଧାୟକ ଭାବେ ୬୦ ବର୍ଷ ପୂରଣ କଲେ
୨୦୧୮ ଜୁନ୍‌: ୯୪ତମ ଜନ୍ମଦିନ ପାଳିଲେ
୨୦୧୮ ଜୁଲାଇ: ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ଯୋଗୁ ହସ୍ପିଟାଲ୍‌ରେ ଭର୍ତ୍ତି
୨୦୧୮ ଅଗଷ୍ଟ ୭: ଶେଷନିଃଶ୍ୱାସ ତ୍ୟାଗ କଲେ

ସମ୍ବନ୍ଧିତ ଖବର