ମେଡିକାଲ କୋଚିଂ ପାଇଁ ଜଣାଶୁଣା ଆକାଶ ଇନଷ୍ଟିଚ୍ୟୁଟକୁ କିଣିପାରେ ବାଇଜୁ!

ନୂଆଦିଲ୍ଲୀ: ମେଡିକାଲ କୋଚିଂ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଜଣାଶୁଣା ଶିକ୍ଷାନୁଷ୍ଠାନ ଆକାଶ ଇନଷ୍ଟିଚ୍ୟୁଟକୁ କିଣିପାରେ ବାଇଜୁ | ଦେଶର ସର୍ବବୃହତ ଅନଲାଇନ ଲର୍ଣ୍ଣିଙ୍ଗ କମ୍ପାନୀ ବାଇଜୁ, ଇଂଜିନିୟରିଂ, ଡାକ୍ତରୀ ପରୀକ୍ଷା ପାଇଁ କୋଚିଂ ଦେଉଥିବା ଆକାଶ ଟ୍ୟୁଟୋରିଆଲ୍ ସର୍ଭିସେସକୁ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି | ମିଳିଥିବା ସୂଚନା ମୁତାବକ ପ୍ରାୟ ଏକ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭୩୧୫ କୋଟି ଟଙ୍କା)ରେ ଆକାଶ ଇନଷ୍ଟିଚ୍ୟୁଟକୁ ବାଇଜୁ ଅଧିଗ୍ରହଣ କରିପାରେ |

ଯଦି ଏହି ଡ଼ିଲ ହୁଏ ତେବେ ଦେଶ ସାରା ଥିବା ଆକାଶ ଇନଷ୍ଟିଚ୍ୟୁଟ ବାଇଜୁ ଅଧୀନକୁ ଚାଲିଯିବ | ସୂଚନା ଥାଉ କି କରୋନା ମହାମାରୀ ସମୟରେ ଲକଡାଉନ ଯୋଗୁଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା | ଛାତ୍ରଛାତ୍ରୀମାନଙ୍କୁ ଅନଲାଇନରେ କ୍ଲାସ କରିବାକୁ କୁହାଯାଇଥିବାବେଳେ ଅଧିକାଂଶ ଅଭିଭାବକ ଓ ଛାତ୍ରଛାତ୍ରୀ ବାଇଜୁ ଆପକୁ ଆପଣାଇଥିଲେ | ଆଉ ଛାତ୍ରଛାତ୍ରୀଙ୍କ ଏଭଳି ଆଗ୍ରହ ଦେଖି କୋଭିଡ୍ -୧୯ ମହାମାରୀ ମଧ୍ୟରେ, ବାଇଜୁ ପ୍ରାୟ ୧୨ ବିଲିୟନ ଡ଼ଲାର ବିନିଯୋଗ ମଧ୍ୟ ହାସଲ କରିପାରିଥିଲା |

ବର୍ତ୍ତମାନ, ବାଇଜୁରେ ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ‘ଚାନ୍ ଜୁକରବର୍ଗ ଇନିସିଏଟିଭ୍’, ଟାଇଗର ଗ୍ଲୋବାଲ୍ ମ୍ୟାନେଜମେଣ୍ଟ ଏବଂ ବଣ୍ଡ୍ କ୍ୟାପିଟାଲର ପୁଞ୍ଜି ନିବେଶ ହୋଇଛି | ୨୦୧୧ ମସିହାରେ ବାଙ୍ଗାଲୋରରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଲକଡାଉନ ସମୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗ୍ରହଣୀୟ ହୋଇପାରିଛି | ଅନ୍ୟପଟେ ଆକାଶ ଇନଷ୍ଟିଚ୍ୟୁଟ ବାବଦରେ କହିବାକୁ ଗଲେ ସମଗ୍ର ଦେଶରେ ୨୦୦ରୁ ଅଧିକ କୋଚିଂ ସେଣ୍ଟର ଚାଲିଥିବାବେଳେ ପ୍ରାୟ ଅଢେଇ ଲକ୍ଷjରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର