ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଡୁଟେକ୍ କମ୍ପାନି ବାଇଜୁସ୍କୁ ନୋଟିସ୍ ଜାରି କରି ୯,୦୦୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ତେବେ କର୍ତ୍ତୃପକ୍ଷଙ୍କ ଠାରୁ ଏଭଳି କୌଣସି ଚିଠି ପାଇଥିବା କମ୍ପାନି ଅସ୍ୱୀକାର କରିଛି।
ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୧ରୁ ୨୦୨୩ ମଧ୍ୟରେ ବାଇଜୁସକୁ ପ୍ରାୟ ୨୮,୦୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ମିଳିଛି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ନାଁରେ ଏହି ସମୟ ମଧ୍ୟରେ ଏଡୁଟେକ୍ କମ୍ପାନି ପ୍ରାୟ ୯,୭୫୪ କୋଟି ଟଙ୍କା ବିଦେଶୀ ସଂସ୍ଥାଙ୍କୁ ପଠାଇଛି।
— BYJU'S (@BYJUS) November 21, 2023
ବାଇଜୁସ୍ ନିଜ ଅଫିସିଆଲ୍ ଏକ୍ସ ହାଣ୍ଡେଲରେ ପୋଷ୍ଟ କରିଛି ଯେ ଏଭଳି କୌଣସି ଚିଠି ମିଳିନାହିଁ। କମ୍ପାନି ସ୍ପଷ୍ଟ ଭାବରେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛି, ଯେଉଁଥିରେ ବାଇଜୁସ୍ ଫେମା ଆଇନ ଉଲ୍ଲଂଘନ କରିଛି ବୋଲି କୁହାଯାଇଛି।
ଗୋଟିଏ ସମୟରେ ଭାରତର ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଭାବେ ଜଣାଶୁଣା ବାଇଜୁସ୍ର ଅନିୟମିତତାର ପର୍ଦ୍ଦାଫାସ କରିଛି ଇଡିର ଏହି ନୋଟିସ୍ ।
୨୦୧୧ ମସିହାରେ ଇଞ୍ଜିନିୟର ଓ ଶିକ୍ଷକ ବାଇଜୁସ୍ ରବୀନ୍ଦ୍ରନ ଓ ତାଙ୍କ ପତ୍ନୀ ଦିବ୍ୟା ଗୋକୁଳନାଥ ବାଇଜୁସ୍ର ମୂଳ କମ୍ପାନି ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା କରିଥିଲେ। ପ୍ରାରମ୍ଭରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସେମାନେ ଅନ୍ଲାଇନ୍ରେ ଶିକ୍ଷା ପ୍ରଦାନ କରିଥିଲେ।
୨୦୧୫ରେ କଂପାନି ବାଇଜୁସର ଲର୍ଣ୍ଣିଂ ଆପ୍ ଲଞ୍ଚ କରିଥିଲା, ଯାହା କି ସେମାନଙ୍କର ପ୍ରଥମ ପଦକ୍ଷେପ ଥିଲା। ଦୁଇ ବର୍ଷ ପରେ, ସେମାନେ ପିଲାମାନଙ୍କ ପାଇଁ ଏକ ଗଣିତ ଆପ୍ ଆରମ୍ଭ କରିଥିଲେ ଏବଂ ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କ ଅଗ୍ରଗତି ଟ୍ରାକ୍ କରିବାରେ ସାହାଯ୍ୟ କରିବା ପାଇଁ ଅନ୍ୟ ଏକ ଆପ୍ ଆରମ୍ଭ କରିଥିଲେ। ୨୦୧୮ ସୁଦ୍ଧା ବାଇଜୁସର ୧.୫ କୋଟିରୁ ଅଧିକ ଉପଭୋକ୍ତା ଥିଲେ। କାରଣ କମ୍ପାନି ଛୋଟ ସହର ଏବଂ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଘରେ ପହଞ୍ଚିଥିଲା। କୋଭିଡ ମହାମାରୀ ସମୟରେ ଏହି ଆପର ଲୋକପ୍ରିୟତା ବ୍ୟାପକ ଭାବେ ବୃଦ୍ଧି ପାଇଥିଲା; ଯେତେବେଳେ ସ୍କୁଲ ବନ୍ଦ ହୋଇଯାଇଥିଲା ଏବଂ ପିଲାମାନଙ୍କୁ ଡିଜିଟାଲ ଶିକ୍ଷା ପଦ୍ଧତିକୁ ଆପଣାଇବାକୁ ପଡିଥିଲା।
ଆଉ ତା’ପରେ ଆରମ୍ଭ ହେଲା ମାନ୍ଦାବସ୍ଥା। ୨୦୨୧ରେ ବିପୁଳ କ୍ଷତି ସହିବା ପରେ ଏହାର ମୂଲ୍ୟ ଧୀରେ ଧୀରେ ହ୍ରାସ ପାଇଥିଲା। ଏହାର କିଛି ସମୟ ପରେ ଏହା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ରାଡାରରେ ମଧ୍ୟକୁ ଆସି ଯାଇଥିଲା।