ନାଗରିକତା ଆଇନ : ହିଂସାତ୍ମକ ହେଉଛି ଆନ୍ଦୋଳନ, ମାଙ୍ଗାଲୁରୁରେ ୨, ଲକ୍ଷ୍ନୌରେ ଜଣେ ମୃତ

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ଆଇନ ବିରୋଧରେ ସାରା ଦେଶରେ ଚାଲିଥିବା ଉଗ୍ର ଆନ୍ଦୋଳନ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯିବା ପରି ଲାଗୁଛି । ବିକ୍ଷୋଭକାରୀମାନେ ବିଭିନ୍ନ ସର୍ବସାଧାରଣ ସଂପତ୍ତିକୁ ନଷ୍ଟ କରିବା ସହ ପୁଲିସ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛଉନାହାନ୍ତି । ଏହି ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ପୁଲିସ ପକ୍ଷରୁ କେତେକ ସହରରେ ଗୁଳି ଚଳାଯାଇଥିବା ରିପୋର୍ଟ ହସ୍ତଗତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପୁଲିସ ଗୁଳିରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୩ ଜଣ ଆହତ ହୋଇଛନ୍ତି । କର୍ଣ୍ଣାଟକର ସହର ମାଙ୍ଗାଲୁରୁରେ ମଧ୍ୟ ପୁଲିସ ଲାଠିମାଡ଼ କରିବା ସହ ଫାଙ୍କା ଗୁଳିଚାଳନା କରିଛି । ଏହି ଆନ୍ଦୋଳନ ବେଳେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାଯାଇଛି । ତେବେ ସେମାନେ ପୁଲିସ ଗୁଳିରେ ମରିଛନ୍ତି ଅଥବା ଅନ୍ୟ କୌଣସି କାରଣ ଯୋଗୁଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସହରର ୫ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।

ସେପଟେ, ଦିଲ୍ଲୀରେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଜନ୍ତରମନ୍ତରଠାରେ ଜମା ହୋଇଥିବା ବିକ୍ଷୋଭକାରୀଙ୍କୁ ପୁଲିସ ଘଉଡ଼ାଇଦେଇଛି । ଏସବୁ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀର ମଣ୍ଡିହାଉସ, ସିଲମପୁର, ଜାଫରବାଦ,ମୁସ୍ତାଫାବାଦ,ଜାମିଆ ନଗର,ସାହିନ ବାଗ ଓ ବାଓ୍ଵାନା ଆଦି ଅଞ୍ଚଳରେ ମୋବାଇଲ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସେବାକୁ ବନ୍ଦ ରଖାଯାଇଛି ।

ସମ୍ବନ୍ଧିତ ଖବର