ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଏବଂ ଏନ୍ପିଆର୍ ନେଇ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଲୋକସଭାରେ ବିରୋଧୀ ଦଳ ପକ୍ଷରୁ ସ୍ଥଗନ ପ୍ରସ୍ତାବ ଦେଇ ସିଏଏ, ଏନ୍ପିଆର୍, ଜାମିଆ ଏବଂ ଜେଏନ୍ୟୁ ମାମଲାରେ ଆଲୋଚନା ପାଇଁ ଦାବି କରିଥିଲେ। ଲୋକସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରୋ ବିରୋଧୀ ଦଳ ସାଂସଦମାନେ ବିଜେପି ନେତା ଅନନ୍ତ ହେଗଡ଼େଙ୍କ ଦ୍ବାରା ମହାତ୍ମା ଗାନ୍ଧୀ ଏବଂ ସତ୍ୟାଗ୍ରହକୁ ନେଇ ଦିଆଯାଇଥିବା ବିବାଦୀୟ ବୟାନକୁ ଜୋର୍ଦାର ବିରୋଧ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ହଟ୍ଟଗୋଳ ବଢ଼ିବାରୁ ଲୋକସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ଏହାପରେ ଲୋକସଭାର କାର୍ଯ୍ୟ ପୁଣି ଆରମ୍ଭ ହେବାପରେ ସିଏଏ ଏବଂ ଏନ୍ପିଆର୍କୁ ନେଇ ବିରୋଧୀ ଦଳମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ।
କଂଗ୍ରେସ ସାଂସଦମାନେ ଅନନ୍ତ ହେଗେଡ଼େଙ୍କ ବୟାନ ଉପରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା ସମୟରେ ବିଜେପି ସାଂସଦ ଭୂପେନ୍ଦ୍ର ଯାଦବ କହିଥିଲେ ଯେ ବିରୋଧୀ ଦଳମାନେ ଯେତେବେଳେ ପରାଜିତ ହୁଅନ୍ତି, ସେତେବେଳେ ଭାରତର ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠାଇଥାନ୍ତି। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଅସହିଷ୍ଣୁତା, ପୁରସ୍କାର ଫେରାଇବା ଏବଂ ଆଉ କେବେ ବାକ୍ ସ୍ବାଧୀନତା ଆଳରେ ଆନ୍ଦୋଳନ କରି ଦେଶରେ ବିଭ୍ରାନ୍ତି ସୃଷ୍ଟି କରିବାକୁ ଲଗାତାର ପ୍ରୟାସ ହେଉଛି ବୋଲି ସେ କହିଥିଲେ। ଏବେ ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ମଧ୍ୟ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଂଶବିଶେଷ ଏବଂ ସେଠାରେ କିଛି ଲୋକ ଶିଶୁମାନଙ୍କୁ ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଛି ବୋଲି ସେ କହିଥିଲେ। ରାଜ୍ୟସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ସାଂସଦମାନେ ହେଗଡ଼େଙ୍କ ବୟାନକୁ ନେଇ ହଟ୍ଟଗୋଳ କରିଥିଲେ ଏବଂ ହେଗଡ଼େ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ। ଶୂନ୍ୟକାଳରେ ବିଶ୍ବ୍ୟବାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ୍ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/parliament-2.jpg)