ସିଏଏ ମାମଲା : ରହିତାଦେଶ ପାଇଁ ମନାକଲେ ସୁପ୍ରିମ୍‌ କୋର୍ଟ

୫ ଜଣିଆ ସମ୍ବିଧାନ ପୀଠରେ ଶୁଣାଣି ହେବ, ୪ ସପ୍ତାହ ମଧ୍ୟରେ ଜବାବ ରଖିବ କେନ୍ଦ୍ର

ନୂଆଦିଲ୍ଲୀ : ସଂଶୋଧିତ ନାଗରିକତା ଆଇନ (ସିଏଏ)କୁ ନେଇ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିବା ୧୪୪ଟି ମାମଲାର ଆଜି ଶୁଣାଣି ହୋଇଛି। ଏହି ଆଇନ ଉପରେ କୌଣସି ରହିତାଦେଶ ଲଗାଇବା ପାଇଁ ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା ସମସ୍ତ ଆବେଦନର ଶୁଣାଣି ୫ ଜଣିଆ ସମ୍ବିଧାନ ପୀଠରେ ହେବ।

ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ସିଏଏ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷ ନଶୁଣିବା ପର୍ଯ୍ୟନ୍ତ କୌଣସି ରହିତାଦେଶ ଜାରି କରାଯାଇାପାରିବ ନାହିଁ। ସମସ୍ତ ଆବେଦନ ଉପରେ ଜବାବ ଦେବାପାଇଁ ସୁପ୍ରିମ୍‌ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ଅନ୍ୟପକ୍ଷରେ ଆସାମ-ତ୍ରିପୁରା ମାମଲା ସଂପର୍କିତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ୨ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ହେବ।

ଏହା ସହିତ କୌଣସି ହାଇକୋର୍ଟ ସିଏଏ ମାମଲାରେ ଶୁଣାଣି କରିପାରିବେ ନାହିଁ ଏବଂ ଏ ସଂକ୍ରାନ୍ତ ସମସ୍ତ ଶୁଣାଣି ସୁପ୍ରିମ୍‌ କୋର୍ଟରେ ହିଁ ହେବ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ର ସରକାର ସମସ୍ତ ଆବେଦନକୁ ନେଇ ୪ ସପ୍ତାହ ମଧ୍ୟରେ ତାଙ୍କ ଜବାବ ରଖିବା ପରେ ୫ ଜଣିଆ ସମ୍ବିଧାନ ପୀଠ ପଂଚମ ସପ୍ତାହରେ ଏହାର ଶୁଣାଣି କରିବେ। ତେବେ ଏହି ସମୟ ମଧ୍ୟରେ ସଂଶୋଧିତ ନାଗରିକତା ଆଇନ ଆଧାରରେ ସରକାର ଲୋକଙ୍କୁ ସାମୟିକ ଭାବେ ନାଗରିକତା ପ୍ରଦାନ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳ ମାମଲାରେ ସିଏଏ ସଂପର୍କିତ ଶୁଣାଣି ପୃଥକ୍‌ ଭାବେ ହେବ। ଉତ୍ତର ପ୍ରଦେଶ ସରକାର ସିଏଏ ଲାଗୁ କରିସାରିଥିବାରୁ ସେ ସଂପର୍କରେ ମଧ୍ୟ ପୃଥକ୍‌ ଶୁଣାଣି ହେବ।

ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌ଏ ବୋବ୍‌ଡ଼େ, ଜଷ୍ଟିସ୍‌ ଅବ୍‌ଦୁଲ ନଜିର ଏବଂ ଜଷ୍ଟିସ୍‌ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସିଏଏ ସଂକ୍ରାନ୍ତ ସମସ୍ତ ଆବେଦନ ବିଚାରକୁ ନିଆଯାଇଛି ଏବଂ କେନ୍ଦ୍ର ସରକାର ଏ ବାବଦରେ ଜବାବ ରଖିବା ପୂର୍ବରୁ ଏକପାଖିଆ ଭାବେ କୌଣସି ରହିତାଦେଶ ଜାରି ହେବନାହିଁ। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ଖଣ୍ଡପୀଠଙ୍କୁ କହିଥିଲେ ଯେ ସରକାର ଏ ପର୍ଯ୍ୟନ୍ତ ମାତ୍ର ୬୦ଟି ଆବେଦନର କପି ହାସଲ କରିଛନ୍ତି। ସମସ୍ତ ଆବେଦନ ଉପରେ ଜବାବ ରଖିବାକୁ ସରକାରଙ୍କୁ ୬ ସପ୍ତାହ ସମୟ ଆବଶ୍ୟକ। ତେବେ କୋର୍ଟ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ସମୟ ଦେଇଥିଲେ। ଅନ୍ୟପକ୍ଷରେ ବରିଷ୍ଠ ଆଇନଜବୀ କପିଲ ସିବଲ ସରକାରଙ୍କୁ ଅଧିକ ସମୟ ନଦେଇ ତୁରନ୍ତ ରହିତାଦେଶ ଜାରି ପାଇଁ ଯୁକ୍ତି ରଖିଥିଲେ। ତେବେ ଖଣ୍ଡପୀଠ ସିବଲଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ନାଗରିକତା ଆଇନକୁ ନେଇ ଏବେ ରହିତାଦେଶ ଜାରି ହୋଇପାରିବ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର