ନୂଆଦିଲ୍ଲୀ: ଭାରତ ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ କଟ୍‌-ଅଫ୍‌ ତାରିଖକୁ ବୃଦ୍ଧି କରାଯାଇଛି।  ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ୨୦୨୪ ଡିସେମ୍ବର ୩୧ ପୂର୍ବରୁ ଭାରତକୁ ଆସିଥିବା ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଏବେ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିପାରିବେ। ଏହି ସମ୍ପ୍ରଦାୟ ମଧ୍ୟରେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଅନ୍ତର୍ଭୁକ୍ତ, ଯେଉଁମାନେ ଧାର୍ମିକ ନିର୍ଯାତନା ହେତୁ ଏହି ତିନୋଟି ଦେଶରୁ ଭାରତକୁ ପଳାଇ ଆସିଛନ୍ତି। ପୂର୍ବରୁ ସିଏଏର କଟ୍‌-ଅଫ୍‌ ତାରିଖ ୨୦୧୪ ଡିସେମ୍ବର ୩୧ ଥିଲା। ନୂଆ ନିଷ୍ପତ୍ତି ଅନୁସାରେ, ୨୦୧୫ରୁ ୨୦୨୪ ମଧ୍ୟରେ ଆସିଥିବା ବ୍ୟକ୍ତି ମଧ୍ୟ ନାଗରିକତ୍ୱ ପାଇଁ ଯୋଗ୍ୟ ହେବେ। ଗୃହ ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ମାନବୀୟ ଦୃଷ୍ଟିକୋଣରୁ ନିଆଯାଇଛି, ଯାହା ନିର୍ଯାତିତ ପ୍ରବାସୀ ସଂଖ୍ୟାଲଘୁଙ୍କୁ ଭାରତରେ ସୁରକ୍ଷିତ ଜୀବନଯାପନ ପାଇଁ ସୁଯୋଗ ପ୍ରଦାନ କରିବ।

ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଅନ୍ତର୍ଭୁକ୍ତ

Advertisment

ସିଏଏ ଅଧୀନରେ ଆବେଦନ ପ୍ରକ୍ରିୟାକୁ ସରଳ କରାଯାଇଛି। ଯେଉଁଥିପାଇଁ ଅନ୍‌ଲାଇନ୍‌ ପୋର୍ଟାଲ ମାଧ୍ୟମରେ ଦସ୍ତାବିଜ ଜମା କରାଯାଇପାରିବ। ତେବେ ଏଭଳି ନିଷ୍ପତ୍ତି ରାଜନୈତିକ ବିବାଦ ପାଇଁ ମଧ୍ୟ 
ରାସ୍ତା ଖୋଲିଦେଇଛି। ବିରୋଧୀ ଦଳମାନେ ଏହାକୁ ଧାର୍ମିକ ଆଧାରରେ ବୈଷମ୍ୟ ବୋଲି ଟିପ୍ପଣୀ କରୁଛନ୍ତି।  ଏହି ଆଇନ ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରୁନଥିବାରୁ ସେମାନେ ଆପତ୍ତି ଉଠାଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ  ଉକ୍ତ ୩ ରାଷ୍ଟ୍ରରୁ ଆସିଥିବା ନିର୍ଯାତିତ ଅଳ୍ପସଂଖ୍ୟକଙ୍କ ପାଇଁ ଏକ ବିଶେଷ ବ୍ୟବସ୍ଥା। ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ନିର୍ଯାତିତ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କୁ ଭାରତରେ ସୁରକ୍ଷିତ ଆଶ୍ରୟ ଉପଲବ୍ଧ କରାଇବାକୁ ସରକାରଙ୍କ ନିଷ୍ପତ୍ତି ଏବେ ଦେଶରେ ଆପ୍ରବାସନ ନୀତି ଓ ନାଗରିକତ୍ୱ ଆଲୋଚନାକୁ ନୂଆ ମୋଡ଼ ଦେଇଛି।