ପାନାଜୀ : ନାଗରିକତା (ସଂଶୋଧନ) ଆଇନକୁ ନେଇ କଂଗ୍ରେସରେ ମତଭେଦ ଦେଖାଦେଇଛି । କଂଗ୍ରେସ ଦଳ ଏହି ଆଇନକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବାବେଳେ ଗୋଆ କଂଗ୍ରେସର କେତେକ ବିଧାୟକ ଦଳର ଏହି ଆଭିମୁଖ୍ୟକୁ ବିରୋଧ କରିଛନ୍ତି । କଂଗ୍ରେସ ଏହି ଆଇନକୁ ନେଇ ଲୋକମାନଙ୍କୁ ଭ୍ରମିତ କରୁଛି ବୋଲି ଅଭିଯୋଗ କରି ଏହି ୪ ନେତା ଦଳରୁ ଇସ୍ତଫା ଦେଇଛନ୍ତି ।

Advertisment

ଗୋଆ କଂଗ୍ରେସର ଏହି ୪ ଜଣ ନେତା ହେଲେ ପାନାଜୀ କଂଗ୍ରେସ ବ୍ଲକ କମିଟି ସଭାପତି ପ୍ରସାଦ ଅମୋନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସେଲମୁଖ୍ୟ ଜାଭେଦ ଶେଖ, ବ୍ଲକ କମିଟି ସେକ୍ରେଟେରୀ ଦିନେଶ କୁବାଲ ଓ ପୂର୍ବତନ ଯୁବକଂଗ୍ରେସ ନେତା ଶିବରାଜ ତରକର । ସେମାନେ ମଧ୍ୟ ନାଗରିକତା (ସଂଶୋଧନ) ଆଇନକୁ ସମର୍ଥନ କରିଛନ୍ତି । ଏ ସଂପର୍କରେ ତରକର କହିଛନ୍ତି ଯେ କଂଗ୍ରେସ ଦଳ ଏହି ପ୍ରସଙ୍ଗରେ ଦେଶର ଲୋକ ବିଶେଷକରି ସଂଖ୍ୟାଲଘୁମାନଙ୍କୁ ଭ୍ରମିତ କରୁଛି । ଦଳ ସଂଖ୍ୟାଲଘୁଙ୍କ ମନରେ ଅସୁରକ୍ଷାର ଭାବନା ସୃଷ୍ଟିକରିବା ବନ୍ଦ କରୁ ବୋଲି ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।