ନୂଆଦିଲ୍ଲୀ : ଭାରତର ନୂଆ ନାଗରିକତା ଆଇନ ବିରୋଧରେ ୟୁରୋପୀୟ ସଂସଦରେ ଆଲୋଚନା ପାଇଁ କେତେକ ବାମପନ୍ଥୀ ସାଂସଦ ଏକ ସଂକଳ୍ପ ଆଗତ କରିଥିବାବେଳେ ସେମାନଙ୍କର ଏହି ଉଦ୍ୟମକୁ ଏକ ବଡ଼ ଧକ୍କା ଲାଗିଛି । ୟୁରୋପୀୟ ସଂଘର ଏକ ପ୍ରଭାବଶାଳୀ ତଥା ପ୍ରତିଷ୍ଠାତା ସଦସ୍ୟ ଫ୍ରାନ୍ସ କହିଛି ଯେ ଭାରତର ନୂଆ ନାଗରିକତା ଆଇନ ଭାରତର ଏକ ଆଭ୍ୟନ୍ତରୀଣ ବ୍ୟାପାର । ଏକଥା ଫ୍ରାନ୍ସ ପୂର୍ବରୁ ହିଁ ଅନେକ ଥର ସ୍ପଷ୍ଟ କରିସାରିଛି । ଫ୍ରାନ୍ସର ଏହି ସମର୍ଥନ ପରେ ଆଉକେତେକ ୟୁରୋପୀୟ ଦେଶ ଭାରତକୁ ସମର୍ଥନ କରିବାର ସମ୍ଭାବନା ରହିଛି ।

Advertisment

ୟୁରୋପୀୟ ସଂସଦର ପ୍ରାୟ ୬୦୦ ସଦସ୍ୟ ଭାରତର ନାଗରିକତା ଆଇନ ବିରୁଦ୍ଧରେ ୬ଟି ସଂକଳ୍ପ ଆଗତ କରିଛନ୍ତି ।
ଏହି ସଂକଳ୍ପଗୁଡ଼ିକୁ ୟୁରୋପୀୟ ମିଳିତ ବାମଦଳ, ନର୍ଡିକ ଗ୍ରୀନ ଲେପ୍ଟ ଗ୍ରୁପ ପକ୍ଷରୁ ଦିଆଯାଇଛି । ଏହି ପ୍ରସ୍ତାବରେ କୁହାଯାଇଛି ଯେ ଭାରତର ଏହି ନୂଆ ନାଗରିକତା ଆଇନ ଜାତିସଂଘର ଧାରା ୧୫ ରେ ଥିବା ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ହନନ କରୁଛି । ଭାରତ ସରକାରଙ୍କ ଏହି ଆଇନ ବିଶ୍ୱରେ ଏକ ବିପଜ୍ଜନକ ମାନବୀୟ ସଂକଟ ସୃଷ୍ଟି କରିବ ବୋଲି ଏହି ବାମଦଳଗୁଡ଼ିକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତର ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।