ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟ୍‌ରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ସମୟରେ ମିରଟ୍‌ ଏସ୍‌ପି ମୁସ୍‌ଲିମମାନଙ୍କୁ ‘ପାକିସ୍ତାନ ପଳାଇ ଯାଅ’ କହିଥିବାରୁ ଏହାକୁ ବିଭିନ୍ନ ମହଲରେ ଜୋର୍‌ଦାର ବିରୋଧ କରାଯାଉଛି। ଆଜି କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଅବ୍ବାସ ନକ୍‌ଭି କହିଛନ୍ତି ଯେ ଯଦି ମିରଟ୍‌ ଏସ୍‌ପି ଏଭଳି ମନ୍ତବ୍ୟ ଦେଇଛନ୍ତି ତା’ହେଲେ ତାଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ହେବ ଉଚିତ। ମିରଟ୍‌ ଏସ୍‌ପି ଆନ୍ଦୋଳନକାରୀ ମୁସ୍‌ଲିମ୍‌ଙ୍କୁ ପାକିସ୍ତାନ ପଳାଇ ଯାଅ ବୋଲି କହୁଥିବା ଭିଡିଓ ଭାଇରାଲ ହେବା ପରେ ଯୋଗୀ ସରକାର ମଧ୍ୟ ଏହାର ତଦନ୍ତ କରି ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ମିରଟ୍‌ ଏଡିଜି କହିଛନ୍ତି ଯେ ସେତେବେଳେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିଲା ଏବଂ ବ୍ୟାପକ ପୋଡ଼ା ଜଳା ଚାଲିଥିଲା। ଏହି ସମୟରେ ସେଠାରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦିଆଯିବାରୁ ମିରଟ୍‌ ଏସ୍‌ପି ଏଭଳି କହିଥିଲେ ବୋଲି ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି। ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ କରାଯିବାରୁ କେନ୍ଦ୍ରମନ୍ତ୍ରୀ ନକ୍‌ଭି କହିଥିଲେ ଯେ ଉପଦ୍ରବକାରୀ ହୁଅନ୍ତୁ କି ପୋଲିସ, କାହାର ବି ହିଂସା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ। ହିଂସା ସୃଷ୍ଟିକାରୀଙ୍କ ବିରୋଧରେ ବଳପ୍ରୟୋଗ ଜରୁରୀ, କିନ୍ତୁ ନିରୀହ ନାଗରିକଙ୍କ ଉପରେ ଜୁଲମ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

Advertisment

ଏନ୍‌ପିଆର୍‌ ଫର୍ମ ପୂରଣ କରିବି ନାହିଁ
ଲକ୍ଷ୍ନୌ: ଦେଶବ୍ୟାପୀ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଆଜି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ସେ ଜାତୀୟ ଜନସଂଖ୍ୟା ପଂଜିକା (ଏନ୍‌ପିଆର୍‌)ରେ ନାମ ପଂଜୀକରଣ କରାଇବେ ନାହିଁ। ଅଖିଳେଶ କହିଛନ୍ତି, ସେ ଏହାର ବିରୋଧ ଜାରି ରଖିବେ ଏବଂ ଏନ୍‌ପିଆର୍‌ ଫର୍ମ ପୂରଣ କରିବେ ନାହିଁ। ଆମେ ଦେଶର ନାଗରିକ କି ନୁହଁ ତାହା ବିଜେପି ନେତାମାନେ ସ୍ଥିର କରିପାରିବେ ନାହିଁ ବୋଲି ଅଖିଳେଶ କହିଛନ୍ତି।

ବିଧାୟକଙ୍କୁ ନିଲମ୍ବନ କଲେ ମାୟାବତୀ
ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ସମର୍ଥନ କରିବା ବିଏସ୍‌ପି ବିଧାୟକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ସିଏଏକୁ ସମର୍ଥନ କରିବାରୁ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ନିଜ ଦଳର ବିଧାୟକ ରାମବାଇ ପରିହାରଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ମୋଦୀ ସରକାର ଆଣିଥିବା ଏହି ନୂତନ ଆଇନ୍‌କୁ ମାୟାବତୀ ତୀବ୍ର ବିରୋଧ କରିଆସୁଛନ୍ତି। ମଧ୍ୟପ୍ରଦେଶର ପଥେରିୟା ବିଧାନସଭାରୁ ନିର୍ବାଚିତ ହୋଇଥିବା ବିଏସ୍‌ପି ବିଧାୟକ ପରିହାର ଗତ ଶନିବାର ଏକ କାର୍ଯ୍ୟକ୍ରମରେ ସିଏଏକୁ ଦୃଢ଼ ସମର୍ଥନ କରି ଏହା ଦେଶପାଇଁ ଜରୁରୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ ଉପସ୍ଥିତ ଥିଲେ। ସେଠାରେ ବିଏସ୍‌ପି ବିଧାୟକ ରାମବାଇ ଖୋଲାଖୋଲି ଭାବେ ସିଏଏକୁ ସମର୍ଥନ କରିଥିଲେ।