ନୂଆଦିଲ୍ଲୀ: ଭାରତରେ ରହିପାରିବେ ପାକ୍-ଆଫ୍ଗାନୀ-ବାଂଲା ସଂଖ୍ୟାଲଘୁ। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସମୟସୀମା ବୃଦ୍ଧି କରିଛନ୍ତି ସରକାର। ଡିସେମ୍ବର ୩୧, ୨୦୨୪ପର୍ଯ୍ୟନ୍ତ ପାକିସ୍ତାନ, ଆଫ୍ଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଲୋକ ଏବେ ଭାରତରେ ରହିପାରିବେ। ରହିବା ପାଇଁ ସେମାନଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ ନାହିଁ। ଏହି ନିଷ୍ପତ୍ତି ଗୃହ ମନ୍ତ୍ରାଳୟ ଦ୍ୱାରା ନିଆଯାଇଛି। ଧାର୍ମିକ ନିର୍ଯାତନା ଯୋଗୁଁ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଭାରତ ଆସିଥିବା ଲୋକମାନଙ୍କୁ ଏହି ନିଷ୍ପତ୍ତି ଆଶ୍ୱସ୍ତି ପ୍ରଦାନ କରିବ ନିଶ୍ଚୟ। ଭାରତୀୟ ଜନତା ପାର୍ଟିର ସାଂସଦ ଡକ୍ଟର ସୁକାନ୍ତ ମଜୁମଦାର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ଆଦେଶରେ କୁହାଯାଇଛି ଯେ; ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ, ଯେଉଁମାନେ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭାରତ ଆସିଛନ୍ତି, ସେମାନଙ୍କୁ ପାସପୋର୍ଟ କିମ୍ବା ଅନ୍ୟାନ୍ୟ କାଗଜପତ୍ର ବିନା ମଧ୍ୟ ଦେଶରେ ରହିବାକୁ ଅନୁମତି ଦିଆଯିବ। ଏହି ଆଦେଶ 'ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫' ଅଧୀନରେ ଜାରି କରାଯାଇଛି। ଏହା ଅଧୀନରେ, ଯେଉଁମାନେ ବୈଧ ପାସପୋର୍ଟ ଏବଂ ଭିସା ବିନା ଭାରତ ଆସିଥିଲେ କିମ୍ବା ଯାହାଙ୍କ ଡକ୍ୟୁମେଣ୍ଟର ମିଆଦ ଶେଷ ହୋଇସାରିଛି ସେମାନଙ୍କୁ ଆଶ୍ୱସ୍ତି ଦିଆଯିବ।
ପୂର୍ବରୁ ସିଏଏ ଅଧୀନରେ ଯେଉଁମାନେ ଡିସେମ୍ବର ୩୧, ୨୦୧୪ ପର୍ଯ୍ୟନ୍ତ ଭାରତକୁ ଆସିଥିଲେ, ସେମାନଙ୍କୁ ରହିବାକୁ ଅନୁମତି ଦେଇଥିଲା ଭାରତ। ଅର୍ଥାତ୍ ଏହା ପରେ ଭାରତ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଏଠାରେ ରହିପାରିବେ ନାହିଁ ସିଏଏ ଅଧୀନରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫ ଅନୁଯାୟୀ, ଏଥିରେ ପରିବର୍ତ୍ତନ ଅଣାଯାଇଛି। ସମୟସୀମାକୁ ଡିସେମ୍ବର ୩୧, ୨୦୨୪ କରାଯାଇଛି।
ଏହି ନିଷ୍ପତ୍ତି ଅନେକ ବ୍ୟକ୍ତିବିଶେଷଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସୁରକ୍ଷା ପ୍ରଦାନ କରିବ। ବିଶେଷକରି ହିନ୍ଦୁ, ଯେଉଁମାନେ ୨୦୧୪ପରେ ପାକିସ୍ତାନରୁ ପଳାଇ ଆସିଥିଲେ ଏବଂ ସିଏଏ ପାଇଁ ଭାରତ ତାଙ୍କୁ ପୁଣି ପାକିସ୍ତାନ ପଠାଇଦେବ ବୋଲି ଭାବି ଚିନ୍ତିତ ଥିଲେ।