ସିଏଏ, ଏନ୍‌ପିଆର୍‌ ବିବାଦ : ସରକାର ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରନ୍ତୁ – ଉପ ରାଷ୍ଟ୍ରପତି

ହାଇଦ୍ରାବାଦ/ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ପ୍ରସ୍ତାବିତ ଜାତୀୟ ଜନସଂଖ୍ୟା ପଂଜିକା (ଏନ୍‌ପିଆର୍‌)କୁ ବିରୋଧ କରି ଦେଶର ବିଭିନ୍ନ ଅଂଚଳରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିବା ବେଳେ ଏହି ଆଇନକୁ ବିରୋଧ କରୁଥିବା ଲୋକେ ହିଂସା ଛାଡ଼ି ଆଲୋଚନା ପାଇଁ ଆସନ୍ତୁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଆଜି ଆହ୍ବାନ ଦେଇଛନ୍ତି।

ହିଂସାର ରାସ୍ତା ଛାଡ଼ି ଲୋକେ ବୌଦ୍ଧିକ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାଛିବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହି ଦୁଇଟି ପ୍ରସଙ୍ଗ ଉପରେ ବ୍ୟାପକ ଓ ଗଠନମୂଳକ ବିତର୍କ ହେବା ଉଚିତ। କେନ୍ଦ୍ର ସରକାର ମଧ୍ୟ ବିରୋଧୀମାନଙ୍କ ସବୁ ଆଶଙ୍କା ଓ ଦ୍ବନ୍ଦ୍ବ ଦୂର କରିବା ଦିଗରେ ପଦକ୍ଷେପ ନେବା ଉଚିତ। ଦେଶର ଜନସାଧାରଣ ଉଭୟ ସିଏଏ ଏବଂ ଏନ୍‌ପିଆର୍‌କୁ ନେଇ ବିଭିନ୍ନ ଫୋରମ୍‌ରେ ଆଲୋଚନା କରନ୍ତୁ ଏବଂ ଏହାର ପ୍ରଭାବ ସଂପର୍କରେ ମନ୍ଥନ ହେଉ। ଏହି ପ୍ରସଙ୍ଗରେ ଅଧିକ ଆଲୋଚନା ଦ୍ବାରା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି ମତ ରଖିଛନ୍ତି।

ଆନ୍ଧ୍ର ପ୍ରଦେଶର ସ୍ବର୍ଗତଃ ମୁଖ୍ୟମନ୍ତ୍ରୀ ଏମ୍‌. ‌ଚେନ୍ନା ରେଡ୍ଡିଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ କୌଣସି ବିଭ୍ରାନ୍ତି ରହିବା ଉଚିତ ନୁହେଁ। ଏ ଦିଗରେ ସାମାଜିକ ସଂଗଠନ ଏବଂ ଗଣମାଧ୍ୟମ ମଧ୍ୟ ସକରାତ୍ମକ ଭୂମିକା ଗ୍ରହଣ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ବାରୋପ କରିଛନ୍ତି।

ସମ୍ବନ୍ଧିତ ଖବର