ପୁଣି ତେଜିଲା ସିଏଏ ବିରୋଧୀ ହିଂସା, ଦିଲ୍ଲୀରେ ସମର୍ଥକ-ବିରୋଧୀ ମୁହାଁମୁହିଁ

ପ୍ରବଳ ପଥର ମାଡ଼, ୨ ମେଟ୍ରୋ ଷ୍ଟେସନ୍‌ ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ ଏବଂ ବିରୋଧ ନେଇ ଦିଲ୍ଲୀରେ ଆଜି ତୀବ୍ର ଉତ୍ତେଜନା ଏବଂ ହିଂସା ଦେଖିବାକୁ ମିଳିଛି। ସିଏଏକୁ ବିରୋଧ କରି ଜାଫରାବାଦରେ ବହୁ ସଂଖ୍ୟାରେ ମହିଳା ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସିଏଏକୁ ସମର୍ଥନ କରି ବିଜେପି ନେତା କପିଲ ମିଶ୍ରାଙ୍କ ନେତୃତ୍ବରେ ମୌଜପୁର ଛକରେ ବଡ଼ ଧରଣର ସମାବେଶ ହୋଇଛି। ମୌଜପୁର ସ୍ଥିତ କବୀର ନଗର ମେଟ୍ରୋ ଷ୍ଟେସନ ନିକଟରେ ସିଏଏ ସମର୍ଥକ ଏବଂ ବିରୋଧଙ୍କ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିଲା। ଏଥିରେ ଉଭୟ ପକ୍ଷର ଅନେକ ଆହତ ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଏହି ଅଂଚଳରେ ଉତ୍ତେଜନା ଲାଗି ରହିଛି ଏବଂ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ମୌଜପୁର ଏବଂ ବାବରପୁର ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଛି। ସିଏଏକୁ ବିରୋଧ କରି ମୁସ୍‌ଲିମ ମହିଳାମାନେ ଜାଫରାବାଦରେ ରାସ୍ତା ଅବରୋଧ କରିବା ପରେ ବିଜେପି ନେତା କପିଲ ମିଶ୍ରାଙ୍କ ନେତୃତ୍ବରେ ସିଏଏ ସମର୍ଥକମାନେ ମୌଜପୁର ଛକ ଅବରୋଧ କରିଥିଲେ। ଦିଲ୍ଲୀରେ ଆଉଏକ ଶାହିନ ବାଗ ସୃଷ୍ଟି ହେବାକୁ ଦିଆଯିବ ନାହିଁ ବୋଲି କପିଲ୍‌ ଟ୍ବିଟ୍‌ କରିବା ସହ ଆଗକୁ ସିଏଏ ସମର୍ଥନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶାହିନ୍‌ ବାଗରେ ଦୀର୍ଘ ୭୧ ଦିନ ଧରି ରାସ୍ତା ଅବରୋଧ କରି ଆନ୍ଦୋଳନ ଚାଲିଥିବାରୁ ଏହାର ପ୍ରତିବାଦରେ ଆଜି ଦକ୍ଷିଣ ଦିଲ୍ଲୀର ସରିତା ବିହାର ଅଂଚଳରେ ଲୋକେ ରାସ୍ତାକୁ ଓହ୍ଲାଛନ୍ତି। ମହିଳାଙ୍କୁ ଅସ୍ତ୍ର କରି ରାସ୍ତା ଅବରୋଧକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସେମାନେ କହିଛନ୍ତି। ଜାଫରାବାଦରେ ଶହିନ ବାଗ୍‌ ଭଳି ରାସ୍ତା ଅବରୋଧ ପାଇଁ ଯୋଜନାବଦ୍ଧ ଉଦ୍ୟମ ହୋଇଥିବାରୁ ଏ ଦିଗରେ କଠୋର ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର