ରାମପୁର ଓ ଗୋରଖପୁରର ୬୦ ଜଣ ସିଏଏ ଆନ୍ଦୋଳନକାରୀଙ୍କୁ ଚିହ୍ନଟ କଲା ପ୍ରଶାସନ, ପଠାଇଲା କ୍ଷତିପୂରଣ ନୋଟିସ୍‌

ରାମପୁର: ଉତ୍ତରପ୍ରଦେଶର ରାମପୁର ଓ ଗୋରଖପୁର ଅଞ୍ଚଳରୁ ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ହିଂସା ସୃଷ୍ଟି କରୁଥିବା ୬୦ରୁ ଅଧିକ ବିକ୍ଷୋଭକାରୀଙ୍କୁ  ଚିହ୍ନଟ କରାଯାଇଛି। ଚିହ୍ନଟ କରାଯାଇଥିବା ବିରୋଧ ପ୍ରଦର୍ଶନକାରୀଙ୍କୁ ସରକାରଙ୍କ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ବିକ୍ଷୋଭ ସମୟରେ ନଷ୍ଟ କରିଥିବା ସମ୍ପତ୍ତିର ଭରଣା କରିବା ସହ ସେମାନେ କାହିଁକି ଏପରି କରିଛନ୍ତି ବୋଲି ଏକ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ରାମପୁରର ଜିଲ୍ଳାପାଳ ଅଞ୍ଜନେୟ ସିଂହ ବୁଧବାର ଏ ସଂପର୍କରେ କହିଛନ୍ତି କି ‘ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ଯେଉଁମାନେ ହିଂସା ସୃଷ୍ଟି କରୁଥିଲେ ପୁଲିସ୍‌ ସେମାନଙ୍କୁ ଚିହ୍ନଟ କରିଛି। ସିସିଟିଭି ଫୁଟେଜ୍‌ ସାହାଯ୍ୟରେ ସେମାନଙ୍କୁ ଚିହ୍ନଟ କରିବା ସହଜ ହୋଇଛି। ଚିହ୍ନଟ ହୋଇଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୮ ଜଣଙ୍କୁ ସରକାର ନୋଟିସ୍‌ ପଠାଇବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ଏକ ସପ୍ତାହ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାର୍ବଜନୀନ ଏବଂ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ କରିଥିବା ଏହି ଆନ୍ଦୋଳନକାରୀମାନଙ୍କ ନିକଟରୁ ସମ୍ପତ୍ତି ମୂଲ୍ୟର ଅର୍ଥ ଆଦାୟ କରାଯିବ।’

Photo Credit: ANI

ବିରୋଧ ପ୍ରଦର୍ଶନକାରୀଙ୍କ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଭରଣା ଆଦାୟ କରିବାରେ ରାମପୁର ରାଜ୍ୟରେ ପ୍ରଥମ। ଚିହ୍ନଟ ହୋଇଥିବା ଆନ୍ଦୋଳନକାରୀଙ୍କ ମଧ୍ୟରୁ ୨୮ ଜଣଙ୍କୁ ୧୪ ଲକ୍ଷ ଟଙ୍କା ଭରଣା ଦେବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଚାଲିଛି। ହୋଇଥିବା କ୍ଷୟକ୍ଷତିର ଭରଣା ଆଦାୟ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଦିନକ ପରେ ଏପରି ନିଷ୍ପତ୍ତି ନିଆଯାଇଛି।

 

 

 

ସମ୍ବନ୍ଧିତ ଖବର