ସିଏଏ ବିରୋଧୀ ଆନ୍ଦୋଳନ ଜାରି : ଦିଲ୍ଲୀ, ବେଙ୍ଗାଲୁରୁରେ ଧାରା ୧୪୪

ଜାମିଆ ଆନ୍ଦୋଳନରେ କହ୍ନେୟା ସାମିଲ, ମାଡ୍ରାସ୍‌ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ ହାସନ୍‌

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଏବେ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ସୀଲମପୁରରେ ଗତକାଲି ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିଲା। ତେବେ ସ୍ଥିତି ମୁକାବିଲା ପାଇଁ ଆଜି ଉତ୍ତରପୂର୍ବ ଦିଲ୍ଲୀରେ ଧାରା ୧୪୪ ଜାରି ହୋଇଛି। ଏହାଦ୍ବାରା କୌଣସି ବି ସ୍ଥାନରେ ୪ ଜଣରୁ ଅଧିକ ଲୋକ ସମବେତ ହୋଇପାରିବେ ନାହିଁ । ହିଂସା ଓ ଆନ୍ଦୋଳନ ସଂକ୍ରାନ୍ତ ସ୍ଥିତି ଯାଞ୍ଚ ପାଇଁ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ ଡ୍ରୋନ୍‌ ମୁତୟନ କରିଛି। ଅନ୍ୟପକ୍ଷେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ବାହାରେ ସିଏଏକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ଯୋଗ ଦେଇଛନ୍ତି ପୂର୍ବତନ ଜେଏନ୍‌ୟୁ ଛାତ୍ର ନେତା କହ୍ନେୟା କୁମାର। ଜାମିଆ ମିଲିଆ ବିଶ୍ବବିଦ୍ୟାଳୟର ଗେଟ୍‌ ନମ୍ବର ୭ରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ନେଇ କହ୍ନେୟା କହିଛନ୍ତି, ସିଏଏ ଅପେକ୍ଷା ଏନ୍ଆରସି ଅଧିକ ବିପଜ୍ଜନକ ଏବଂ ଏହାକୁ ପ୍ରତ୍ୟେକ ସ୍ତରରେ ବିରୋଧ କରାଯିବା ଦରକାର। କିନ୍ତୁ ଆନ୍ଦୋଳନ ପାଇଁ ଶାନ୍ତିର ରାସ୍ତାକୁ ଭଙ୍ଗ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏମ୍‌ଏନଏମ୍‌ ମୁଖ୍ୟ କମଲ ହାସନ୍‌ ଆଜି ମାଡ୍ରାସ୍‌ ବିଶ୍ବବିଦ୍ୟାଳୟ ଗସ୍ତ କରିଛନ୍ତି ଏବଂ ସିଏଏ ବିରୋଧରେ ସେ ଆନ୍ଦୋଳନରତ ଛାତ୍ରଙ୍କୁ ସମର୍ଥନ କରିଛନ୍ତି। ଛାତ୍ରଛାତ୍ରୀମା‌‌ନେ ସିଏଏ ବିରୋଧରେ ଆନ୍ଦୋଳନ ଜାରି ରଖିବାପାଇଁ କମଲ ହାସନ୍‌ କହିଛନ୍ତି। କମଲଙ୍କୁ ଆଜି ବିଶ୍ବବିଦ୍ୟାଳୟକୁ ପ୍ରବେଶ କରିବା ଅନୁମତି ମିଳିନଥିଲା। ହାସନ୍‌ ଗେଟ୍‌ ବାହାରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ।

Yahoo News

ଅନ୍ୟପକ୍ଷେ ଆଜି ଜାମିଆ ଶିକ୍ଷକ ସଂଗଠନ (ଜେଟିଏ) ଦ୍ବାରା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବିବାଦୀୟ ନାଗରିକତା ସଂଶୋଧନ ଆଇନ ଏବଂ ଏନ୍‌ଆରସିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଜେଟିଏ ପକ୍ଷରୁ ଆଜି ଶାନ୍ତି ଶୋଭାଯାତ୍ରା କରାଯାଇଥିଲା ଏବଂ ଜେଏମ୍‌ଆଇ ପରିସରରେ ପୁଲିସ ବର୍ବତାର ତଦନ୍ତ ପାଇଁ କମିଟି ଗଠନ ହେବ ବୋଲି କହିଥିଲେ। ‌ତେବେ ଆଜି ସୀଲମପୁରରେ ପୁଣିଥରେ ଆନ୍ଦୋଳନ ହୋଇଥିବା ଜଣାପଡ଼ିଛି। ସେପଟେ ଆସାମରେ ସ୍ଥିତି ସୁଧୁରିଛି। ହିଂସା ଘଟଣାରେ ଆସାସ ପୁଲିସ ୧୯୦ ଜଣଙ୍କୁ ଗିରଫ କରିଛି ଏବଂ ୩୦୦୦ ଲୋକଙ୍କୁ ଅଟକ ରଖିଛି। ଅନ୍ୟପକ୍ଷେ କେରଳରେ ୧୫ଟି କଲେଜ୍‌ରୁ ଛାତ୍ରଛାତ୍ରୀମାନେ ସିଏଏ ବିରୋଧରେ ଆଜି ଏକ ମିଳିତ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର