ସିଏଏ ତାତି: ୟୁପିରେ ରକ୍ତାକ୍ତ ସଂଘର୍ଷ

ଶତାଧିକ ଗାଡ଼ି ଜାଳିଦେଲେ, ପ୍ରମୁଖ ସହରରେ ୪୫ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆଜି ଉତ୍ତର ପ୍ରଦେଶର ୨୦ରୁ ଅଧିକ ସହରରେ ହିଂସାତ୍ମକ ପ୍ରଦର୍ଶନ ହୋଇଛି। ବିଭିନ୍ନ ସହରରେ ନମାଜ ପରେ ଆନ୍ଦୋଳନକାରୀମାନେ ଏକଜୁଟ ହୋଇଥିଲେ ଏବଂ ବ୍ୟାପକ ପୋଡ଼ାଜଳା ଆରମ୍ଭ ହୋଇଥିଲା। ବିଜ୍‌ନୋର, ମିରଟ୍‌, ଗୋରଖପୁର, ଗାଜିଆବାଦ, ମୁଜାଫରନଗର, ଉନ୍ନାଓ, ଭଦୋହି, ସଂଭଲ ଏବଂ କାନପୁରରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ବିଭିନ୍ନ ସ୍ଥାନରେ ପୁଲିସ ଗୁଳିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରାୟ ୫୦ ଜଣ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି। କାନପୁରରେ ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୬ ଜଣ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ଶତାଧିକ ଯାନବାହନ ପୋଡ଼ି ଦିଆଯାଇଛି। ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ଆନ୍ଦୋଳନକାରୀମାନେ ଯୋଜନାବଦ୍ଧ ହିଂସା ଘଟାଉଥିବାରୁ ଏହାର ମୁକାବିଲା ପାଇଁ ଅଧିକ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ପ୍ରସ୍ତାବ ଦିଆଯାଇଛି।

ମଧ୍ୟପ୍ରଦେଶରେ କର୍ଫ୍ୟୁ
ମଧ୍ୟପ୍ରଦେଶରେ ସିଏଏକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଆଜି ହିଂସାର ରୂପ ନେଇଛି। ମଧ୍ୟପ୍ରଦେଶର ଜବଲପୁର ସହର ସ୍ଥିତ ଗୋହାଲପୁର ଏବଂ ହନୁମାନତଳ ଥାନା ଅଧୀନରେ ଆଜି କର୍ଫ୍ୟୁ ଜାରି ‌ହୋଇଛି। କୋଟୱାଲି ଏବଂ ଅଧରତଲ ଥାନା ଅଧୀନରେ କର୍ଫ୍ୟୁ ଜାରି ହୋଇଛି। ହାଇଦ୍ରାବାଦ୍‌ର ମକ୍କା ମସଜିଦ୍‌ ନିକଟରେ ମଧ୍ୟ ସିଏଏ ଏବଂ ଏନ୍‌ଆରସିକୁ ବିରୋଧ କରି ଆନ୍ଦୋଳନ ହୋଇଥିବା ବେଳେ ପୁଲିସ ପ୍ରାୟ ୫୦ ଜଣଙ୍କୁ ଅଟକ ରଖିଛି। ତେବେ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା ଅଧୀନସ୍ଥ କଲମନୁରୀ ଅଞ୍ଚଳରେ ୪ ଜଣ ପଥର ମାଡ଼ରେ ଆହତ ହୋଇଛନ୍ତି।

ପ୍ରମୁଖ ସହରରେ ୪୫ ଘଣ୍ଟା ଇଣ୍ଟରନେଟ୍‌ ବନ୍ଦ
ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବାପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରମାନଙ୍କ ଦ୍ବାରା ଜୋର୍‌ଦାର ଉଦ୍ୟମ ଜାରି ରହିଛି। ଆଜି ଉତ୍ତରପ୍ରଦେଶ କେତେକ ପ୍ରମୁଖ ସହର, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକର କେତେକ ସମ୍ବେଦନଶୀଳ ଅଞ୍ଚଳରେ ୪୫ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ମିଳିଥିବା ସୂଚନାନୁଯାୟୀ ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ଆହ୍ଲାବାଦ, ଆଗ୍ରା, ଆଲିଗଡ଼, ଗାଜିଆବାଦ, ବାରାଣାସୀ, ମଥୁରା, ମିରଟ, ମୋରାଦାବାଦ, ମୁଜାଫରନଗର, ବରେଲି, ଫିରୋଜାବାଦ, ପିଲିଭିଟ, ରାମପୁର, ଶାହରନପୁର, ଶାମ୍‌ଲି, ସମ୍ଭଲ, ଆମରୋହା, ମଉ, ଆଜମଗଡ଼, ଏବଂ ସୁଲତାନପୁରରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ପଶ୍ଚିମବଙ୍ଗରେ ମଧ୍ୟ ମାଲ୍‌ଦା, ମୁର୍ଶିଦାବାଦ୍‌, ହାୱଡ଼ା, ବରାସତ, ଉତ୍ତର ଦିନାଜପୁର, ନଦିଆାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ସନ୍ଧ୍ୟାରେ ଇଣ୍ଡିଆ ଗେଟ୍‌ ନିକଟରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର